ଭଟଲି : ବରଗଡ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ କେଶାଇପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଦିବ୍ୟାଶା ପଧାନଙ୍କ ପ୍ରକଳ୍ପ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ତଥା ଜାତୀୟ ନବପ୍ରବର୍ତ୍ତନ ପ୍ରତିଷ୍ଠାନ, ଭାରତଙ୍କ ମିଳିତ ଆନୁକୂଲ୍ୟରେ ନୂଆଁଦିଲ୍ଲୀ ସ୍ଥିତ ପ୍ରଗତି ମୈଦାନରେ ହେବାକୁ ଥିବା ଏକାଦଶ ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛି। ବିଜ୍ଞାନ କ୍ଷେତ୍ରରେ ରୁଚି ରଖୁଥିବା ଦିବ୍ୟାଶା ବିଦ୍ୟାଳୟର ବିଜ୍ଞାନ ଭିତ୍ତିକ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରନ୍ତି।ରାସ୍ତାରେ ଯାତାୟାତ କଲାବେଳେ ଅନେକ ସମୟରେ ସେ ଲକ୍ଷ୍ୟ କରିଛନ୍ତି ଯେ ଜଣେ ସାଇକେଲ ପରି ଦୁଇ ଚକିଆ ଯାନ ସାହାଯ୍ୟରେ କି କି ବ୍ୟବସ୍ଥା କଲେ ଅନେକ ସୁବିଧା ମିଳିପାରିବାର ସମ୍ଭାବନା ରହିଛି। ତାଙ୍କର ଏହି ଚିନ୍ତାଧାରା ଓ ଅଭିନବତା ବିଷୟରେ ସେ ପ୍ରଥମେ ବିଦ୍ୟାଳୟର ମାର୍ଗଦର୍ଶକ ବିଜ୍ଞାନ ଶିକ୍ଷୟିତ୍ରୀ ସୁଚିସ୍ମିତା ପଧାନଙ୍କୁ ଜଣାଇ ତାଙ୍କ ମାର୍ଗ ଦର୍ଶନରେ ଏକ ପ୍ରକଳ୍ପ ନିମନ୍ତେ ଚୂଡାନ୍ତ ରୂପରେଖ ପ୍ରସ୍ତୁତି କରିବାରେ ଲାଗିପଡିଲେ।ରୂପରେଖ ପ୍ରସ୍ତୁତ କରି ତାହାକୁ କାର୍ଯ୍ୟକ୍ଷମ କରିବା ସହିତ କିପରି ସମସ୍ତେ ଉପକୃତ ହେବେ ପ୍ରୟାସ କଲେ। ପରିଶେଷରେ ଦିବ୍ୟାଶା ଏକ ପ୍ରକଳ୍ପ ପ୍ରସ୍ତୁତି କରିବାରେ ସକ୍ଷମ ହେଲେ ଏବଂ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀରେ ତାଙ୍କ ଦ୍ଵାରା ପ୍ରସ୍ତୁତ ପ୍ରକଳ୍ପ ” ମଲ୍ଟି ପରପୋଜ୍ କେରିଅର୍ ଇନ୍ ଟୁ ହ୍ୱିଲର୍ ” କୁ ପ୍ରଦର୍ଶନ କରି କୃତକାର୍ଯ୍ୟ ହାସଲ କରିବା ସହିତ ରାଜ୍ୟସ୍ତରୀୟ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହେଲେ। ରାଜ୍ୟସ୍ତରୀୟ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ସାରା ଓଡ଼ିଶାର ୨୯୮ ଟି ପ୍ରକଳ୍ପ ମଧ୍ୟରୁ ବିଚାରକ ମଣ୍ଡଳୀଙ୍କ ଦ୍ବାରା ତାଙ୍କ ପ୍ରକଳ୍ପଟି ବେଶ୍ ଆଦୃତ ହୋଇଥିଲା। ଫଳସ୍ୱରୁପ ଦିବ୍ୟାଶା ଚଳିତ ମାସ ୧୭ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ସ୍ଥିତ ପ୍ରଗତି ମୈଦାନ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ସଫଳତାର ଶ୍ରେୟ ସେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ  ସୁଚିସ୍ମିତା ପଧାନ, ପ୍ରଧାନ ଶିକ୍ଷକ  ଆତ୍ମାରାମ ଭୋଇ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବୋଲି କହନ୍ତି।ଏହି ସଫଳତା ପାଇଁ ଭଟଲି ବ୍ଲକ ଶିକ୍ଷା ଅଧିକାରୀ  ସରୋଜ କୁମାର ଭୁଏ , ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ ଶିଶୁ ବୈଜ୍ଞାନିକ ଦିବ୍ୟାଶାଙ୍କ ସମେତ କେଶାଇପାଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ମାର୍ଗ ଦର୍ଶକ ବିଜ୍ଞାନ ଶିକ୍ଷୟିତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar