ବରଗଡ଼ : ଗାନ୍ଧୀ ସ୍ମୃତି ପାଠାଗାର, ବରଗଡ଼ ଆନୁକୂଲ୍ୟରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୨୬ରେ କୃତକାର୍ଯ୍ୟ ହୋଇଥିବା ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ପାଇଁ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ପାଠାଗାରର ବରିଷ୍ଠ ସଦସ୍ୟ ମନୋରଞ୍ଜନ ସାହୁ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ପ୍ରଶାସନିକ ଅଧିକାରୀ ଚନ୍ଦ୍ରମଣି ବଡ଼ନାୟକ ଉପସ୍ଥିତ ରହି କୃତକାର୍ଯ୍ୟ ପ୍ରାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ।
ଅତିଥିମାନେ କୃତକାର୍ଯ୍ୟ ହୋଇଥିବା ଜିତାମିତ୍ର ସାହୁ, ସୁମନ କଲ୍ୟାଣ ଦାଶ ଏବଂ ନିବାସ କୁମୁରାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ସଭାରେ ପାଠାଗାରର ସଭାପତି ଅରୁଣ ମହାନ୍ତି, ଜୟ ପ୍ରକାଶ ଶତପଥୀ ଏବଂ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସଫଳ ପ୍ରାର୍ଥୀମାନଙ୍କର ଏହି ସଫଳତା ସମଗ୍ର ବରଗଡ଼ ଜିଲ୍ଲା ପାଇଁ ଗର୍ବର ବିଷୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି କୃତକାର୍ଯ୍ୟ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।
