ବରଗଡ଼ : ଓଡ଼ିଶାକୁ ନୂଆକରି ଗଢିତୋଳିବାରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ଅବଦାନ ଅତୁଳନୀୟ । ସାହିତ୍ୟ, ସଂସ୍କୃତି, ଇତିହାସ, ରାଜନୀତି ବିଶେଷ କରି ଶିଶୁ ସାହିତ୍ୟ ତଥା ଶିଶୁମାନଙ୍କ ଉନ୍ନତି କଳ୍ପେ କରି ଯାଇଥିବା କାର୍ଯ୍ୟ ଯୋଗୁଁ ସେ ଯଥାର୍ଥରେ ଶିଶୁମାନଙ୍କର କାକା ବୋଲି ମହତାବ ଶିଶୁ ସାହିତ୍ୟ ସଂସଦର ୩୨ତମ ସ୍ଵନକ୍ଷତ୍ର ଉତ୍ସବ ଓ ମହତାବ ଜୟନ୍ତୀରେ ଯୋଗଦେଇ ବକ୍ତାଗଣ ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ରାଣା ପ୍ରତାପ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ସାହିତ୍ୟିକ ମନୋରଞ୍ଜନ ମେହେରଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବିଶିଷ୍ଟ ସାହିତ୍ୟିକ ମନୋରଞ୍ଜନ ସାହୁ ଓ ମୁଖ୍ୟବକ୍ତା  ଅବସରପ୍ରାପ୍ତ ଅଧ୍ୟକ୍ଷ ଟେକଚାନ୍ଦ ଦୁଆନ ଯୋଗଦେଇ ମହତାବଙ୍କ ବହୁମୁଖି ପ୍ରତିଭା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ତାଙ୍କୁ ନବଉତ୍କଳର ନିର୍ମାତା ଭାବେ ଅଭିହିତ କରି ସାହିତ୍ୟ- ସଂସ୍କୃତି- ରାଜନୀତି ବିଶେଷ କରି ଓଡିଶାର ଶିଶୁ ଓ ଶିଶୁ ସାହିତ୍ୟର ବିକାଶ ପାଇଁ ସେ ସର୍ବଦା ଶିଶୁ ଗହଣରେ କାକା ଭାବରେ ପରିଚିତ ହୋଇ ରହିବେ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଶିଷ୍ଟ ଶିଶୁ ସାହିତ୍ୟିକ ପ୍ରଶାନ୍ତ କୁମାର ସାହୁଙ୍କୁ “କାକା ମହତାବ ଶିଶୁ ସାହିତ୍ୟ ସମ୍ମାନ -୨୦୨୪” ଓ ଦୟାନିଧି ମହାପାତ୍ରଙ୍କୁ “କଳାମାଣିକ ଶିଶୁ ସାହିତ୍ୟ ସମ୍ମାନ-୨୦୨୪” ପ୍ରଦାନ କରାଯାଇଥିଲା । ସମ୍ମାନୀତ ଅତିଥି ଭାବେ ସମାଜସେବୀ ପ୍ରିତମ ସିଂ, ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ ଯୋଗଦେଇ ମହତାବଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ  ଶିଶୁ ସାହିତ୍ୟିକ ପ୍ରଦୀପ୍ତଭାନୁ ମହାନ୍ତି, ଅଧ୍ୟାପକ ତିଳକରାମ ପ୍ରଧାନ, ତରଣୀସେନ ବୁଧିଆ ପ୍ରମୁଖ ମହତାବଙ୍କ ସ୍ମୃତି ଚାରଣ କରିଥିଲେ । ସଂସଦ ପ୍ରତିଷ୍ଠାତା ସଂପାଦକ ଡକ୍ଟର ରବିନାରାୟଣ ସାହୁ ସ୍ବାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ରାଣା ପ୍ରତାପ ସ୍କୁଲର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଶିକ୍ଷୟିତ୍ରୀ ସୁନୀତା ମିଶ୍ର ମାନପତ୍ର ପାଠ ଓ ଧନ୍ୟବାଦ ଅର୍ପଣ କରିଥିଲେ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar