ବରପାଲି : ବରପାଲି ସହରରେ ବାଳକୃଷ୍ଣଙ୍କ କାଳିୟଦଳନ ପ୍ରତିମୃତିକୁ ପୁଜନ ଉତ୍ସବ ସମାପନ ହୋଇଯାଇଛି । ଯୁଗର ପରିବର୍ତ୍ତନ ଓ ମାନସିକତାର ଅଭାବ ବୃଦ୍ଧି ପାଇଥିଲେ ସୁଦ୍ଧା ବରପାଲିରେ ପୁର୍ବ ପରମ୍ପରା ସଂସ୍କୃତି ଆଜ ବି ଉଜ୍ଜିବିତ ରହିପାରିଛି । ବରପାଲି ସହରର କୁଷ୍ଟାପଡା, ତେଲିପଡା, ସୁନାରିପଡା ସମେତ ବିଭିନ୍ନ ସ୍ଥାନରେ ଉତ୍ସାହ ଉଦ୍ଦୀପନା ସହକାରେ ଏହି ଉତ୍ସବ ପାଳିତ ହୋଇଥିଲା । ଭକ୍ତମାନେ ଘର ସମ୍ମୁଖରେ ସୁସଜ୍ଜିତ ମଣ୍ଡପମାନ ସ୍ଥାପନ କରି ଏହି ପ୍ରଥାକୁ ଜାରି ରଖିଥିଲେ । ଭକ୍ତମାନେ ପୁର୍ବରୁ ମଣ୍ଡପରେ ନିଜ ହାତରେ ପ୍ରସ୍ତୁତ କରିଥିବା ଚଡେଇ, ଜୀବଜନ୍ତୁ ମାନ ସୁନ୍ଦର ଭାବେ ସଜେଇ ରଖିଥିଲେ । ହେଲେ ପୂଜାପ୍ରଥା ଅନୁଶାରେ ୨୪ ଘଣ୍ଟା ପୂର୍ବରୁ ନିର୍ମିତ ବାଳକୃଷ୍ଣ କାଳିୟ ନାଗକୁ ଦଳନ କରୁଥିବା ଅବସ୍ଥାରେ ଦଣ୍ଡାୟମାନ କଞ୍ଚାମାଟିର ମୃର୍ତ୍ତିକୁ କଳା ରଙ୍ଗରେ ରଙ୍ଗିଲା ପରେ ମଣ୍ଡପର ମଧ୍ୟସ୍ଥଳରେ ସ୍ଥାପନ କରିଥାନ୍ତି । କାଳିୟଦଳନ ମୂର୍ତ୍ତିର ଚାରି ପାର୍ଶ୍ୱରେ ଅନ୍ୟାନ୍ୟ ଜୀବଜନ୍ତୁ ଏବଂ ପକ୍ଷୀ ମାନଙ୍କୁ ରଖାଯାଇଥାଏ । ଭକ୍ତ ମାନେ ନିଜ ଭକ୍ତିଭାବ ନେଇ କାଳିୟ ଦଳନ କୃଷ୍ଣଙ୍କୁ ପୁଜାର୍ଚ୍ଚନା ମାଧ୍ୟମରେ ଭୋଗରାଗ ଅର୍ପଣ କଲା ପରେ ପରିବାରର ଶୁଭ କାମନା ନେଇ ଆଶିର୍ବାଦ ଭିକ୍ଷା କରିଥାନ୍ତି । ପରେ ଅର୍ପଣ କରାଯାଇଥିବା ଭୋଗରାଗକୁ ସାଧାରଣଙ୍କ ମଧ୍ୟରେ ବଣ୍ଟନ କରାଯାଇଥାଏ । ପରଦିନ ପ୍ରତ୍ୟୁଷରେ ଭକ୍ତ ମାନେ ମଣ୍ଡପରେ ଶୋଭା ପାଉଥିବା ପଶୁପକ୍ଷୀମାନଙ୍କୁ ପାଖରେ ରହିଥିବା ଛୋଟଛୋଟ ଶିଶୁ ମାନଙ୍କୁ ତାଙ୍କ ମନମୁତାବକ ଭାବରେ ବାଣ୍ଟିଥାନ୍ତି । ଉତ୍ସବର ମାହାତ୍ମ୍ୟ ଋଷି କାଶ୍ୟପଙ୍କ ପୁତ୍ର କାଳିୟ ନାଗ ରମଣ ଦ୍ୱିପରେ ପକ୍ଷୀରାଜ ଗଋଡ ଦେବଙ୍କ ମଧ୍ୟରେ ଶତୃତା ବୃଦ୍ଧି ପାଇଥିଲା । କାଳିୟ ନାଗ ପରିବାର ସହ ସ୍ଥାନ ପରିବର୍ତ୍ତନ କରି ଗୋପପୁର କାଳିନ୍ଦି ହ୍ରଦରେ ସୂରକ୍ଷିତ ଭାବେ ବସବାସ କରିଥିଲା । ହେଲେ କାଳିୟ ନାଗର ପ୍ରକୋପରେ ସାରା ଜୀବଜଗତ ଭୟାତୁର ହୋଇ ହ୍ରଦରୁ ଅନ୍ୟତ୍ର ପଳାୟନ କରିଥିଲେ । ହ୍ରଦରେ କାଳିୟ ନାଗର ଉତ୍କଟ ହଳାହଳ ବିଷଜ୍ୱାଳା ମିଶ୍ରିତ ହୋଇ ହ୍ରଦ ଜଳରାଶି ବିଶାକ୍ତମୟ ହୋଇ ଉଠିଥିଲା । ପୁର୍ବରୁ ହ୍ରଦ ଉପରେ ନିର୍ଭରଶୀଳ ରହିଥିବା ପ୍ରାଣୀଜଗତ ପାଣି ପିଇବାକୁ ଯାଇ ନିଜ ପ୍ରାଣକୁ ବିସର୍ଜନ କରୁଥିଲେ । ବାଳକୃଷ୍ଣ ସଙ୍ଗ ମେଳରେ ହ୍ରଦକୂଳକୁ ଆସିଥିବା ବେଳେ କାଳିୟ ନାଗକୁ ଦମନ କରିବା ସହ ଅନ୍ୟତ୍ର ପଠାଇ ସାରା ଜୀବଜଗତକୁ ଉଦ୍ଧାର କରିଥିଲେ । ଭଗବାନ ବାଳକୃଷ୍ଣଙ୍କ ମହାନତା ଯୋଗୁ ସାରା ଜଗତ ଉଦ୍ଧାର ପାଇଥିଲା । କାଳିୟଦଳନ ଉପାଖ୍ୟାନକୁ ସ୍ମରଣ ରଖିବା ସହ ନିଜ ପରିବାର ସହ ସାରା ଜୀବଜଗତର ସୁରକ୍ଷା ହିତ ଦୃଷ୍ଟିରୁ କାଳିୟ ଦଳନ ରୂପି ଭଗବାନ ବାଳକୃଷ୍ଣଙ୍କ ପୂଜାର୍ଚ୍ଚନା ମାଧ୍ୟମରେ ପ୍ରତିବର୍ଷ ଭାଦ୍ରବ ମାସ ବଡ ଏକାଦଶି ତିଥିରେ ବହୁ ଦିନରୁ ଏହି ପୁରାଣ ବର୍ଣ୍ଣିତ ପାରମ୍ପରିକ ନିତିରେ ପୂଜନ ପରମ୍ପରା ହୋଇ ଆସୁଛି ।

Leave a Reply

Your email address will not be published.

error: Content is protected !!