ପଦ୍ମପୁର : ପଦ୍ମପୁରରେ ୩୦୦ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ଏବଂ ଏକ ମେଡ଼ିକାଲ କଲେଜ ସ୍ଥାପନ କରାଯିବାକୁ ଦାବି ହୋଇଛି । ପଦ୍ମପୁର ଓକିଲ ସଂଘ ତରଫରୁ ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ପଦ୍ମପୁର ଉପଖଣ୍ଡ ଅନୁନ୍ନତ ଅଞ୍ଚଳ ହୋଇଥିବାରୁ ଏଠାରେ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା ହେଲେ ଏଠାକାର ଗରିବ ମେଧାବୀ ଛାତ୍ରଛାତ୍ରୀ ବେଶ ଉପକୃତ ହେବା ସହ ମେଡ଼ିକାଲ ପାଠ ପଢ଼ା ସ୍ୱପ୍ନ ସାକାର ହୋଇପାରନ୍ତା । ସେହିପରି ପଦ୍ମପୁର ଉପରେ ନିର୍ଭରଶୀଳ ପଡୋଶୀ ନୁଆପଡ଼ା , ବଲାଙ୍ଗିର ଜିଲ୍ଲା ସମେତ ସୀମାନ୍ତ ଛତିଶଗଡ ଅଞ୍ଚଳବାସୀ ମଧ୍ୟ ଉନ୍ନତ ସ୍ୱାସ୍ଥ୍ୟସେବା ପାଇପାରନ୍ତେ ବୋଲି ଦାବି ପତ୍ରରେ ଉଲ୍ଳେଖ ରହିଛି । ପଦ୍ମପୁର ଓକିଲ ସଂଘ ସଭାପତି ଆନନ୍ଦ କୁମାର ପଣ୍ଡା ଓ ସମ୍ପାଦକ ଚିନ୍ମୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି କେଶବ ସାହୁ, ସହ ସମ୍ପାଦକ ରୋହିତ କୁମାର ଭୋଇ, ଶାନ୍ତନୁ ତ୍ରିପାଠୀ, ଆଦିତ୍ୟ ରଥ, ଗିରିବଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

error: Content is protected !!