ବରପାଲି : ସଂସ୍କୃତଭାଷା ସମସ୍ତ ଭାଷା ମାନଙ୍କର ଜନନୀ ଅଟେ । ସଂସ୍କୃତଭାଷା ସମୃଦ୍ଧ ହେଲେ ସମସ୍ତ ଭାରତୀୟ ପ୍ରାନ୍ତୀୟ ଭାଷାଗୁଡିକ ମଧ୍ୟ ଶୁଦ୍ଧ ସ୍ୱରୂପକୁ ବଜାୟ ରଖି ବିକଶିତ ହେବେ । ସଂସ୍କୃତ ଜ୍ଞାନ ଅଭାବ ଯୋଗୁଁ ଆଜି ପ୍ରାନ୍ତୀୟ ଭାଷା ବ୍ୟବହାରରେ ବହୁଳ ଭାବରେ ଅଶୁଦ୍ଧତା ପରିଲକ୍ଷିତ ହେଉଛି । ଏହାର ଏକମାତ୍ର ସମାଧାନ ସଂସ୍କୃତଭାଷାକୁ ପୁନଃ ଜନଭାଷା ରୂପେ ସମସ୍ତେ ବ୍ୟବହାର କରନ୍ତୁ ।  ସଂସ୍କୃତ ଭାଷାଜ୍ଞାନ ବିକାଶ ସହିତ ପ୍ରାନ୍ତୀୟ ଭାଷାଗୁଡିକର ଶୁଦ୍ଧସ୍ୱରୂପର ବ୍ୟବହାର ବଢ଼ିବ ବୋଲି ବରପାଲି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଆୟୋଜିତ ବିଶ୍ୱ ସଂସ୍କୃତ ଦିବସ ସମାରୋହରେ ମୁଖ୍ୟବକ୍ତା ରୂପେ ଯୋଗଦେଇ ପଣ୍ଡିତ ଗୋପବନ୍ଧୁ ପୁରୋହିତ ମତବ୍ୟକ୍ତ କରିଛନ୍ତି । ଅଧ୍ୟକ୍ଷ ସନ୍ତୋଷ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ସଂସ୍କୃତଭାରତୀ ପ୍ରାନ୍ତସଭାପତି ଆୟୁଷ୍ମନ୍ତ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ଭାରତୀୟ ନିଜ ବ୍ୟାବହାରିକ ଭାଷା ଭାବରେ ସଂସ୍କୃତ ଭାଷାକୁ ପ୍ରାଧାନ୍ୟତା ଦେବା ଉଚିତ ବୋଲି ମତପୋଷଣ କରିଥିଲେ । ସଂସ୍କୃତ ଭାରତୀ ପ୍ରାନ୍ତ ପ୍ରଶିକ୍ଷଣ ପ୍ରମୁଖ ମାନସ ରଞ୍ଜନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କଥିତ ସଂସ୍କୃତ ଭାଷା ଅତି ସରଳ ବୋଲି ସମ୍ୟକ୍ ଭାବରେ ବୁଝାଇଥିଲେ । ଖେମେସରା ଉଚ୍ଚ ବିଦ୍ୟାଳୟ ସଂସ୍କୃତ ଶିକ୍ଷକ ରମେଶ କୁମାର ପଣ୍ଡା ସଂସ୍କୃତ ଦିବସ ପାଳନର ମହତ୍ତ୍ୱ ତଥା ରକ୍ଷାବନ୍ଧନ ସହିତ ସଂସ୍କୃତର ଗଭୀର ସମ୍ପର୍କକୁ ପ୍ରତିପାଦନ କରିଥିଲେ । ସମ୍ମାନିତ ଅତିଥି ଭାବେ ତୋଷବନ୍ତ ସେଠ୍ ସଂସ୍କୃତ ଭାଷାର ମହତ୍ତ୍ୱ ଉପରେ ଆଲୋଚନା କରିଥିଲେ । ସଂସ୍କୃତ ଶିକ୍ଷକ ଈଶ୍ୱର ଚନ୍ଦ୍ର ଗଡତିଆ ସଭା ସଞ୍ଚାଳନ କରିଥିବା ବେଳେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ବିଶେଷ ସହଯୋଗ କରିଥିଲେ । ସଂସ୍କୃତ ଦିବସ ପାଳନ ଅବସରରେ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏ ଅବସରରେ ସଂସ୍କୃତ ବିଳାସିନୀ ଦ୍ୱାରା ଆୟୋଜିତ ସଂସ୍କୃତ ଚିତ୍ର ପ୍ରଦର୍ଶିନୀ ଓ ବସ୍ତୁ ପ୍ରଦର୍ଶିନୀକୁ ମୁଖ୍ୟଅତିଥି ସାମ୍ବାଦିକ ପ୍ରଭୁଚରଣ ମହାନ୍ତି ଓ ସମ୍ମାନିତ ଅତିଥି ସାମ୍ବାଦିକ ସୁବ୍ରତ ସାହୁ ଉଦଘାଟନ କରିଥିଲେ ।

Leave a Reply

Your email address will not be published.

error: Content is protected !!