ବରଗଡ଼ : ବରଗଡ଼ ଜିଲ୍ଳା ପ୍ରୀମିୟର ଲିଗର ଫାଇନାଲ ମୁକାବିଲା ଅତାବିରା ହ୍ୱାଇଟ ହର୍ସ ଏବଂ ବରଗଡ଼ ସ୍ପାର୍ଟନ ମଧ୍ୟରେ ଅନୁଷ୍ଠିତ ହେବ । ସୋମବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଅତାବିରା ଦଳ ସିଂ ୱାରିୟରକୁ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ସେମିଫାଇନାଲରେ ବରଗଡ଼ ସ୍ପାର୍ଟନ ୟୁନାଇଟେଡ ଡ୍ରିମ ଇଲେଭେନକୁ ପରାସ୍ତ କରିଥିଲା । ପ୍ରଥମ ସେମିଫାଇନାଲରେ ଅତାବିରା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ବିନିମୟରେ ୧୮୧ ରନ ସଂଗ୍ରହ କରିଥିଲା । ଜବାବରେ ୧୫.୩ ଓଭରରେ ୧୪୫ ରନ କରି ଅଲଆଉଟ ହୋଇଯାଇଥିଲା ।ଫଳରେ ଅତାବିରା ଦଳ ୩୬ ରନରେ ମ୍ୟାଚକୁ ଜିତି ପ୍ରଥମ ଦଳ ଭାବରେ ଫାଇନାଲକୁ ପ୍ରବେଶ କରିଥିଲା ।
ଦ୍ୱିତୀୟ ସେମିଫାଇନାଲ ବରଗଡ଼ ସ୍ୱାର୍ଟନ ଏବଂ ୟୁନାଇଟେଡ ଡ୍ରିମ ଇଲେଭେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥରେ ବରଗଡ଼ ସ୍ୱାର୍ଟନ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ବିନିମୟରେ ୧୭୭ ରନ କରିଥିଲା । ୟୁନାଇଟେଡ ଡ୍ରିମ ଇଲେଭେନ ୧୭୮ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇ ୧୮.୪ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୧୧୧ ରନ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା । ଏହି ମ୍ୟାଚକୁ ବରଗଡ଼ ସ୍ପାର୍ଟନ ୬୬ ରନରେ ଜିତି ନେବା ସହ ଆଗାମୀ ୧୧ ତାରିଖରେ ହେବାକୁ ଥିବା ଫାଇନାଲରେ ପ୍ରବେଶ କରିଥିଲା ।