ବରଗଡ଼ : ଅତାବିରା ହ୍ୱାଇଟ ହର୍ସ ବିଡିପିଏଲ ସପ୍ତମ ସଂସ୍କରଣର ଚାମ୍ପିୟନ ହୋଇଛି । ବୁଧବାର ଅନୁଷ୍ଠିତ ଫାଇନାଲ ମୁକାବିଲାରେ ଅତାବିରା ହ୍ୱାଇଟ ହର୍ସ ବରଗଡ଼ ସ୍ପାର୍ଟନକୁ ୬୪ ରନରେ ପରାସ୍ତ କରି ଚାମ୍ପିୟନ ହୋଇଛି । ଫାଇନାଲ ମୁକାବିଲାରେ ଅତାବିରା ହ୍ୱାଇଟ ହର୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ସହ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ବିନିମୟରେ ୧୯୭ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଦିବ୍ୟ କୁମାର ସାହୁ ସର୍ବାଧିକ ୪୦ ରନ କରି ଅପରାଜିତ ରହିଥିଲେ । ବରଗଡ଼ ସ୍ପାର୍ଟନର ପିକେଶ ସ୍ୱାଇଁ ୩ ଟି ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ବରଗଡ଼ ସ୍ପାର୍ଟନ ନିର୍ଦ୍ଧାରିତ ୨୦ ଓଭର ରେ ୮ ଉଇକେଟ ବିନିମୟରେ ୧୩୪ ରନ କରିବାକୁ ସକ୍ଷମ ହୋଇଥିଲା । ବରଗଡ଼ ସ୍ପାର୍ଟନ ପକ୍ଷରୁ ଶ୍ରୁତିରାଜ ମିଶ୍ର ସର୍ବାଧିକ ୩୯ ରନର ଯୋଗଦାନ ଦେଇଥିବା ବେଳେ ଅତାବିରା ର ଦେବବ୍ରତ ପ୍ରଧାନ ୩ ଉଇକେଟ ଅକ୍ତିଆର କରିଥିଲେ । ଫାଇନାଲ ମ୍ୟାଚକୁ ଅତାବିରା ଦଳ ୬୩ ରନରେ ଜିତି ନେଇ ପଞ୍ଚମ ଥର ପାଇଁ ଚାମ୍ପିୟାନ ଘୋଷିତ ହୋଉଥିଲା ।
ବିଧାୟକ ଦେବେଶ ଆଚାର୍ଯ୍ୟ , ବିଜେପି ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ , ଶିକ୍ଷାବିଦ ଡି ମୁରଲୀ କ୍ରୀଷ୍ଣା , ସମାଜସେବୀ ଚନ୍ଦ୍ରଶେଖର ବାଗ , କୈଲାଶ ଅଗ୍ରୱାଲ ଅତିଥି ଭାବେ ଯୋଗଦେଇ ବିଜେତା ଅତାବିରା ହ୍ଵାଇଟ ହର୍ଷ ଓ ଉପବିଜେତା ବରଗଡ଼ ସ୍ପାର୍ଟନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ସେହିପରି ଅତାବିରା ର ମହମ୍ମଦ ସଲିମ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ଏବଂ ଦେବବ୍ରତ ପ୍ରଧାନ ପ୍ଲେୟାର ଅଫ ଦି ଫାଇନାଲ ଭାବରେ ପୁରସ୍କୃତ ହୋଇଥିଲେ । ଅମୀୟ ସାହୁ ଏବଂ ଅକ୍ଷୟ ସାହାଣୀ ଆମ୍ପାୟର ଦାୟିତ୍ବ ତୁଲାଇଥିଲେ ।