ବରଗଡ଼ : ସ୍ଥାନୀୟ ମିନି ଷ୍ଟାଡିୟମରେ ଫ୍ଲଡ଼ ଲାଇଟରେ ଚାଲିଥିବା ବରଗଡ଼ ଜିଲା ପ୍ରିମୀୟର ଲିଗର ଦ୍ଵିତୀୟ ଦିବସର ପ୍ରଥମ ମ୍ୟାଚ ସିଂ ୱାରୀୟସ ଏବଂ ଅତାବିରା ହ୍ଵାଇଟ ହର୍ଷ ମଧ୍ୟରେ ହୋଇଥିବା ବେଳେ ସିଂ ୱାରୀୟସ ଦଳ ବିଜୟୀ ହୋଇଥିଲା । ଏହି ମ୍ୟାଚରେ ସିଂ ୱାରିୟସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ସିଂ ୱାରିୟସ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ବିନିମୟରେ ୧୮୪ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ରାହୁଲ ଚୌଧୁରୀ ୮୪ ଏବଂ ଶ୍ରୀକାନ୍ତ ପ୍ରଧାନ ୨୪ ରନ ସଂଗ୍ରହ କରିଥିଲେ । ଅତାବିରା ପକ୍ଷରୁ ସୁଶାନ୍ତ ଗୁପ୍ତା ୨୪ ରନ ବିନିମୟରେ ୨ ଉଇକେଟ ଏବଂ ମହମ୍ମଦ ଇଫତିକାର ୪୭ ରନ ରେ ୨ ଉଇକେଟ ଅକ୍ତିଆର କରିଥିଲେ । ଅତାବିରା ଦଳ ୧୮୫ ରନର ଵିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବା ସହ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୬୧ ରନ କରିବାକୁ ସକ୍ଷମ ହୋଇଥିଲା । ଅତାବିରା ପକ୍ଷରୁ ସୁମିତ ରାଏ ୫୪ ଏବଂ ମହମ୍ମଦ ସଲିମ ୩୨ ରନ କରିଥିବା ବେଳେ ସିଂ ୱାରୀୟସର ସୁଶାନ୍ତ ବିଶି , ସୟଦ ଜାକି ଏବଂ ଶ୍ରୀକାନ୍ତ ପ୍ରଧାନ ୨ ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ । ଫଳରେ ସିଂ ୱାରୀୟସ ଏହି ମ୍ୟାଚକୁ ୨୩ ରନରେ ଜିତି ନେଇଥିଲା । ଆଜିର ମ୍ୟାଚ ରେ ସିଂ ୱାରୀୟସର ରାହୁଲ ଚୌଧୁରୀ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ । ଏହି ମ୍ୟାଚରେ ସଚ୍ଚିଦାନନ୍ଦ ପଣ୍ଡା ଓ ପୃଥିବୀରାଜ ମିଶ୍ର ଆମ୍ପାୟର ଦାୟିତ୍ୱ ତୁଲାଇଥିଲେ ।