ବରଗଡ : ବରଗଡ଼ ଜିଲ୍ଳା ପ୍ରିମିୟର ଲିଗ କ୍ରିକେଟ ପ୍ରତିଯୋଗିତାର ପ୍ରଥମ ଦିବସରେ ଅତାବିରା ହ୍ୱାଇଟ ହର୍ସ ଏବଂ ସିଂ ୱାରିୟସ ବିଜୟୀ ହୋଇଛନ୍ତି । ବରଗଡ଼ ଲେଙ୍ଗୁ ମିଶ୍ର ଷ୍ଟାଡିୟମରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିବସର ପ୍ରଥମ ମ୍ୟାଚ ଅତାବିରା ହ୍ୱାଇଟ ହର୍ସ ଏବଂ ୟୁନାଇଟେଡ ଡ୍ରିମ ଇଲେଭେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଅତାବିରା ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେବା ସହ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୫୪ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଅଧିନାୟକ ମହମ୍ମଦ ସଲିମ ୧୯ , ମନୋଜ ଶର୍ମା ୨୪ , ତାରିଣୀ ସା ୨୪ ରନ ସଂଗ୍ରହ କରିଥିଲେ । ୟୁନାଇଟେଡ ଡ୍ରିମ ଇଲେଭେନ ପକ୍ଷରୁ ପ୍ରିୟାଂଶୁ ଦାଶ ୨୧ ରନ ବିନିୟମରେ ୩ ଉଇକେଟ ଏବଂ ପ୍ରକାଶ ମାହାନା ୩୭ ରନ ବିନିମୟରେ ୨ ଉଇକେଟ ଅକ୍ତିଆର କରିଥିଲେ । ୧୫୫ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ୟୁନାଇଟେନ ଡ୍ରିମ ଇଲେଭେନ ୧୯.୧ ଓଭରରେ ୧୧୨ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ପ୍ରକାଶ ମାହାନା ୪୫ ରନ ସଂଗ୍ରହ କରିଥିବା ବେଳେ ଅତାବିରା ପକ୍ଷରୁ ସୁମିତ ରାଏ ୧୦ ରନ ବିନିମୟରେ ୨ ଉଇକେଟ ଏବଂ ଆଜାଦ ପ୍ରଧାନ ୨୬ ରନ ବିନିମୟରେ ୨ ଉଇକେଟ ଏବଂ ସୁଶାନ୍ତ ଗୁପ୍ତା ୨୬ ରନ ୨ ଉଇକେଟ ଅକ୍ତିଆର କରିଥିଲେ । ଫଳରେ ଏହି ମ୍ୟାଚକୁ ଅତାବିରା ଦଳ ୪୩ ରନରେ ଜିତି ନେଇଥିଲା । ଆଜିର ଖେଳକୁ ପ୍ରଦୀପ ନନ୍ଦ ଏବଂ ପୃଥୀବିରାଜ ମିଶ୍ର ପରିଚାଳନା କରିଥିଲେ । ଅତାବିରା ଦଳର ତାରିଣୀ ସା ଙ୍କୁ ମ୍ୟାନ ଅଫ୍ ମ୍ୟାଚ ଘୋଷଣା କରାଯାଇଥିଲା ।
ସେହିପରି ଦ୍ୱିତୀୟ ମ୍ୟାଚ ବରଗଡ଼ ରୟାଲ ଟାଇଗର୍ସ ଏବଂ ସିଂ ୱାରିୟସ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସିଂ ୱାରିୟସ ଦଳ ୨୬ ରନରେ ବିଜୟୀ ହୋଇଥିଲା । ସିଂ ୱାରିୟସ ଦଳ ପ୍ରଥମେ ବ୍ୟାଟିଂ କରି ରାକେଶ ସିଂ ଙ୍କ ୮୩ ରନ ସହାୟତାରେ ୨୦ ଓଭରରେ ୧୮୦ ରନ ସଂଗ୍ରହ କରିଥିଲା । ଜବାବରେ ରୟାଲ ଟାଇଗର୍ସ ୧୮.୨ ଓଭରରେ ସମସ୍ତ ଉଇକେଟ ହରାଇ ୧୫୪ ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ରାଜକିଶନ ପଟେଲ ସର୍ବାଧିକ ୪୨ ରନର ଯୋଗଦାନ କରିଥିଲେ । ଫଳରେ ଦ୍ୱିତୀୟ ମ୍ୟାଚକୁ ସିଂ ୱାରିୟସ ଦଳ ୨୬ ରନରେ ଜିତି ନେଇଥିଲା ।