ବରଗଡ-ପଶ୍ଚିମ ଓଡିଶାର କୃଷିଭିତିକ ଗଣପର୍ବ ନୂଆଖାଇ ପାଇଁ ବରଗଡ଼ର ଗ୍ରାମ୍ୟଦେବୀ ମା ସମଲେଶ୍ୱରୀଙ୍କ ପୀଠରେ ଲଗ୍ନ ନିର୍ଦ୍ଧାରିତ ହୋଇଛି । ରବିବାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କ ପୀଠରେ ପଣ୍ଡିତ ଚୂଡାମଣି ରଥ, ପଣ୍ଡିତ ବିଘ୍ନରାଜ ଦାଶ  , ପଣ୍ଡିତ ସୁଧାଂଶୁ  ଚରଣ ଦାଶ, ପଣ୍ଡିତ ବିଷ୍ଣୁଦୟାଲ ଦାଶ , ପଣ୍ଡିତ ଆୟୁଷ୍ମନ୍ତ ଷଡ଼ଙ୍ଗୀ,  ମନ୍ଦିରର ପୂଜକ  କ୍ଷୀରୋଦ୍ର ଝାଙ୍କର  ପ୍ରମୁଖ ଲଗ୍ନ ନିର୍ଦ୍ଧାରଣ କରିଥିଲେ । ଆଗାମୀ ଅଗଷ୍ଟ ୨୭  ତାରିଖ ବୁଧବାର ନିଶାର୍ଦ୍ଧ ପରେ ୨୮ ତାରିଖ ଗୁରୁବାର ପାହାନ୍ତିଆ ହେବା ପୂର୍ବରୁ  ମାଁ ସମଲେଶ୍ୱରୀଙ୍କଠାରେ ନବାନ୍ନ ଭୋଗର ସମସ୍ତ କାର୍ଯ୍ୟ ସଂପାଦନ କରାଯିବ । ବରଗଡ଼ ସମଲେଶ୍ୱରୀ ମନ୍ଦିରର ଏକ ନିଆରା ପରମ୍ପରା ରହିଛି । ମାଁଙ୍କଠାରେ କେତେବେଳେ ନବାନ୍ନ ଭୋଗ ଲାଗି କରାଯାଏ ତାହା ଲୋକଲୋଚନକୁ ଅଣାଯାଏ ନାହିଁ । ସେଥିପାଇଁ ନିଶାର୍ଦ୍ଧରେ ମାଁଙ୍କ ଠାରେ ନବାନ୍ନ ଭୋଗ ଲାଗି କରାଯାଏ । ସେହିପରି ଅଗଷ୍ଟ ୨୮ ତାରିଖ ଗୁରୁବାର ଭାଦ୍ରବ ଶୁକ୍ଲ ପଂଚମୀ ସିଂହ ୧୨  ଦିନ ବିଶୁଦ୍ଧ ତୁଳ ଲଗ୍ନେ ତୁଳ ଚନ୍ଦ୍ରେ  ସ୍ୱାତୀ ନକ୍ଷତ୍ରେ ଶୁକ୍ଳ ଯୋଗେ ମୀନ ନବାଂଶେ  ପୂର୍ବାହ୍ନ ୧୦ ଘ ୨୩ ମିନିଟ ରୁ  ୧୦ଘ ୩୭ ମିନିଟ ମଧ୍ୟେ ସର୍ବସାଧାରଣ ନିଜ ଇଷ୍ଟଦେବାଦେବୀଙ୍କ ଠାରେ ନବାନ୍ନଭୋଗ ଲାଗି କରି ନବାନ୍ନ ଭକ୍ଷଣ କରିବା ଶୁଭପ୍ରଦ ଅଟେ ବୋଲି ଲଗ୍ନ ସ୍ଥିରୀକୃତ ହୋଇଥିଲା । ଏ ଅବସରରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀଙ୍କ ସମେତ ହାଟପଦା ଦୁର୍ଗା ମନ୍ଦିର, ମା ଶ୍ୟାମା କାଳୀ ମନ୍ଦିରର କର୍ମକର୍ତା ତଥା ବରଗଡ଼ ସମଲେଶ୍ବରୀ ମନ୍ଦିର  ପରିଚାଳନା କମିଟିର ସଦସ୍ୟ ଏବଂ  ସହରର ବହୁ ବୁଦ୍ଧିଜିବୀ ଉପସ୍ଥିତ ଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar