ବରଗଡ଼ : ଲାଦାଖର ରାଜଧାନୀ ଲେହ ଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଶିକ୍ଷା ଓ ତାଲିମ କାର୍ଯ୍ୟକ୍ରମରେ ବରଗଡ଼ ଇମ୍ପରିୟଲ କଲେଜର ଚେୟାରମେନ ଦିପକ ଗୋୟଲ ଯୋଗଦାନ କରି ଫେରି ଆସିଛନ୍ତି । ଲେହ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମାଗାସେସ ପୁରସ୍କାର ବିଜେତା ସୋନମ ୱାଙ୍ଗଚୁଙ୍ଗ ପରିଚାଳନା କରିଥିଲେ । ତାଙ୍କ ଦ୍ୱାରା ସେଠାରେ ଚାଲୁଥିବା ପରିବର୍ତିତ ଶିକ୍ଷା ଅନୁଷ୍ଠାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତର ୧୫ ଟି ରାଜ୍ୟ ଏବଂ ଆମେରିକା,ଭୁଟାନ କୁଏଦ ଓ ଫ୍ରାନ୍ସ ର ପ୍ରତିନିଧିମାନେ ଯୋଗଦେଇଥିଲେ । ଛଅ ଦିନ ବ୍ୟାପୀ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାକୁ ପ୍ରକୃତରେ କିପରି ଲୋକାଭିମୁଖୀ କରି ହେବ ସେ ବିଷୟରେ ବିଶଦ୍ ଆଲୋଚନା କରାଯାଇଥିଲା । ଏଠାରେ ଉଲ୍ଳେଖ ଯୋଗ୍ୟ ଯେ ଶିକ୍ଷାକୁ କେବଳ ଚାକିରୀ ଓ ଅର୍ଥ ଉପାର୍ଜନର ମାଧ୍ୟମ ନ କରି ବୃହତର ସମାଜର ବିକାଶ ପାଇଁ କିପରି କାର୍ଯ୍ୟ କରି ହେବ ସେ ବିଷୟରେ ସୋନମ ୱାଙ୍ଗଚୁଙ୍ଗ ବହୁ ବର୍ଷ ହେବ କାର୍ଯ୍ୟ କରି ଦେଶ ବିଦେଶରେ ପ୍ରସିଦ୍ଧି ଲାଭ କରିଛନ୍ତି । ତାଙ୍କ ଜୀବନ ଉପରେ ଅମୀର ଖାଁ ଙ୍କ ଚଳଚିତ୍ର ଥ୍ରୀ ଇଡିୟଟ୍ ସାରା ଭାରତରେ ବହୁ ଲୋକପ୍ରିୟତା ହାସଲ କରିଥିଲା । ଛଅ ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ସେ ଉପସ୍ଥିତ ପ୍ରତିନିଧିମାନଙ୍କୁ ଚିରାଚରିତ ଶିକ୍ଷା ପ୍ରଥାରୁ ବାହାରି କିପରି ନୂତନ ମାଧ୍ୟମ ଜରିଆରେ ପିଲାମାନଙ୍କୁ ଶିକ୍ଷାଦାନ କରି ତାଙ୍କ ଜୀବନରେ ଆହୁରି ସଶକ୍ତ କରିହେବ ସେ ବିଷୟରେ ବିଶଦ୍ ସୂଚନା ପ୍ରଦାନ କରିଥିଲେ । ଶ୍ରୀ ଗୋୟଲ ପ୍ରକାଶ କରିଛନ୍ତି ଯେ ପୂର୍ବରୁ ମଧ୍ୟ ସେ ଲେହ ଠାରେ ଏହି ଧରଣର କାର୍ଯ୍ୟକ୍ରମରେ ଯୋଗଦାନ କରି ଏଠାରୁ ଶିକ୍ଷାଲାଭ କରିଥିବା ଅନେକ ଜିନିଷକୁ ତାଙ୍କ ଦ୍ୱାରା ପରିଚାଳିତ ଇମ୍ପରିୟଲ କଲେଜରେ ଲାଗୁ କରିଛନ୍ତି ଏବଂ ଏହି ସେମିନାର ପରେ ସେଠାରୁ ଶିକ୍ଷାଲାଭ କରି ଆହୁରି ଅଧିକ ସମାଜ ଉପଯୋଗୀ ଶିକ୍ଷା ତାଙ୍କ କଲେଜରେ ଲାଗୁ ହେବ ବୋଲି ସେ ସୂଚନା ଦେଇଛନ୍ତି ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar