ବରଗଡ଼ : କୃଷିଭିତିକ ଗଣପର୍ବ ନୂଆଖାଇ ପାଇଁ ସମଗ୍ର ପଶ୍ଚିମ ଓଡିଶାରେ ଉତ୍ସାହ ଉଦ୍ଦୀପନା ଲାଗି ରହିଛି । ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ଗ୍ରାମ୍ୟଦେବୀ ମା ସମଲେଇଙ୍କ ପୀଠରେ ଲଗ୍ନ ନିର୍ଦ୍ଧାରିତ ହୋଇଛି । ଗତ କାଲି ଶନିବାର ନିଶାର୍ଦ୍ଧ ପରେ ରବିବାର ସକାଳ ହେବା ପୂର୍ବରୁ ମାଁ ସମଲେଇଙ୍କଠାରେ ନବାନ୍ନ ଭୋଗର ସମସ୍ତ କାର୍ଯ୍ୟ ସଂପାଦନ କରାଯାଇଛି । ବରଗଡ଼ ସମଲେଶ୍ୱରୀ ମନ୍ଦିରର ଏକ ନିଆରା ପରମ୍ପରା ରହିଛି । ମାଁଙ୍କଠାରେ କେତେବେଳେ ନବାନ୍ନ ଭୋଗ ଲାଗି କରାଯାଏ ତାହା ଲୋକଲୋଚନକୁ ଅଣାଯାଏ ନାହିଁ । ସେଥିପାଇଁ ନିଶାର୍ଦ୍ଧରେ ମାଁଙ୍କ ଠାରେ ନବାନ୍ନ ଭୋଗ ଲାଗି କରାଯାଏ । ସେହିପରି ରବିବାର ୮ ତାରିଖ ଭାଦ୍ରବ ଶୁକ୍ଲ ପଞ୍ଚମୀ ସିଂହ ୨୪ ଦିନ ସ୍ୱାତୀ ନକ୍ଷତ୍ରେ ତୁଳଚନ୍ଦ୍ରେ ବିଶୁଦ୍ଧ ତୁଳଲଗ୍ନେ ଅମୃତବେଳାର ଶେଷ ସ୍ୱର୍ଶରେ ସକାଳ ୯ ଟା ୩୫ ମିନିଟ ଗତେ ୧୦ ଟା ୦୪ ମିନିଟ ମଧ୍ୟେ ସର୍ବସାଧାରଣ ନିଜ ଇଷ୍ଟଦେବାଦେବୀଙ୍କ ଠାରେ ନବାନ୍ନଭୋଗ ଲାଗି କରି ନବାନ୍ନ ଭକ୍ଷଣ କରିବା ନେଇ ଲଗ୍ନ ସ୍ଥିରୀକୃତ ହୋଇଥିଲା । ନୂଆଖାଇ ପାଇଁ ସମଗ୍ର ବରଗଡ଼ ସହର ସମେତ ଗାଁ ଗହଳିରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି । ଜିଲ୍ଳାର କେତେକ ସ୍ଥାନରେ ଗ୍ରାମବାସୀ ଏଠାଠି ନବାନ୍ନ ଭକ୍ଷଣ କରୁଛନ୍ତି । ନବାନ୍ନ ପରେ ଜୁହାର ଭେଟ ତଥା ସଂଧ୍ୟାରେ ବିଭିନ୍ନ ସ୍ଥାନରେ ନୂଆଖାଇ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ।

Leave a Reply

Your email address will not be published.

error: Content is protected !!