ଅମ୍ବାଭୋନା : ଚନ୍ଦ୍ରଯାନ -୩ ସଫଳତାର ସହ ଚନ୍ଦ୍ରରେ ଅବତରଣ କରିବାର ଏକ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ପ୍ରଥମ ରାଷ୍ଟ୍ରୀୟ ଅନ୍ତରିକ୍ଷ ଦିବସ ପାଳନ କରାଯାଉଛି । ଏ ଅବସରରେ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ସ୍ଥିତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଅନ୍ତରିକ୍ଷ ଦିବସ ପାଳିତ ହୋଇଯାଇଛି । ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଅନ୍ତରିକ୍ଷ ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରିବା ଆଭିମୁଖ୍ୟ ନେଇ ବିଦ୍ୟାଳୟରେ ସେମିନାର, କୁଇଜ୍ ପ୍ରତିଯୋଗିତା ଏବଂ ଗୋଲକ ଧନ୍ଦା ସମାଧାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବନା ସାହୁ , ସମ୍ମାନିତ ଅତିଥି ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋହନ ଚରଣ ମହାନ୍ତ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସାନନ୍ଦ ଦେହେରୀ ଯୋଗ ଦେଇଥିଲେ । ବିଜ୍ଞାନ କ୍ଲବର ମାର୍ଗ ଦର୍ଶକ ଶିକ୍ଷକ ସଞ୍ଜୟ ଖମାରୀ ରାଷ୍ଟ୍ରୀୟ ଅନ୍ତରିକ୍ଷ ଦିବସ ପାଳନର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିବା ବେଳେ ଅତିଥିବୃନ୍ଦ ଶିକ୍ଷାର୍ଥୀମାନଙ୍କୁ ମହାକାଶବିଜ୍ଞାନୀଙ୍କ ଗବେଷଣାଲବ୍ଧ ତଥ୍ୟ ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ମହାକାଶ ଗବେଷଣା ସମ୍ବନ୍ଧୀୟ ଗୋଲକ ଧନ୍ଦା ସମାଧାନ କାର୍ଯ୍ୟକ୍ରମରେ ଉମାକାନ୍ତ ମହାରଣା , କରିସ୍ମା ପଟେଲ ଏବଂ ଅଙ୍କିତା ଦୁଆନ୍ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
କୁଇଜ ପ୍ରତିଯୋଗିତାରେ ମୋନିକା ପଧାନ, ଆଦ୍ୟାଶା ଭୋଇ ଏବଂ ସ୍ୱାତୀ ସାହୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ । ଭୁକ୍ତା କ୍ଲଷ୍ଟରର ସି ଆର ସିସି କେଦାର ନାଏକ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଶିକ୍ଷକ ବୋଧରାମ ବିଶ୍ୱାଳ, ଅଙ୍କିତ ମହନ୍ତ, ସୁବାସ ଚନ୍ଦ୍ର ଖମାରୀ,ପଦ୍ମଲୋଚନ ବିଶି, ଶ୍ରୀପତି ସାହୁ, ପ୍ରଶାନ୍ତ ମହାପାତ୍ର ସକ୍ରିୟ ସହଯୋଗ କରିଥିଲେ । ପରିଶେଷରେ ଶିକ୍ଷୟିତ୍ରୀ ଅନୀତା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।