ଭଟଲି : ଭଟଲି ଦଧିବାମନ ସ୍ନାତକ ମହାବିଦ୍ୟାଳୟ ଏବଂ ଗଣଦୃଷ୍ଟି ମିଡ଼ିଆ ପକ୍ଷରୁ ‘ଜଳବାୟୁ ପରିବର୍ତ୍ତନ ଜନିତ ସଙ୍କଟ ଓ ଆମର ଭବିଷ୍ୟତ’ ଶୀର୍ଷକ ଗଣଦୃଷ୍ଟି ପାଠଶାଳା ଅନୁଷ୍ଠିତ ହୋଇଯାଇଛି । ଭଟଲି କଲେଜ ପରିସରରେ ଅନୁଷ୍ଠିତ ଏହି ପାଠଶାଳାକୁ ପରିବେଶ ପ୍ରେମୀ ସିନ୍ଧୁନନ୍ଦିନୀ ଆଚାର୍ଯ୍ୟ ଉଦଘାଟନ କରିଥିଲେ । ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଶ୍ୟାମଲାଲ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗଣଦୃଷ୍ଟିର ମିଡ଼ିଆର ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ବିଶ୍ୱାଳ ସଭାର ଉଦ୍ଦେଶ୍ୟ ଓ ସୂଚନା ଜ୍ଞାପନ କରିଥିଲେ । ମୁଖ୍ୟ ଆଲୋଚକ ଭାବରେ ଗ୍ରୀନ ନୋବେଲ ପୁରସ୍କାର ବିଜେତା ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା ଯୋଗଦାନ ପୂର୍ବକ ଜଳବାୟୁ ପରିବର୍ତ୍ତନ ତଥା ବିଶ୍ୱତାପନର କାରଣ, ପ୍ରଭାବ ଓ ନିରାକରଣ ସମ୍ପର୍କରେ ସମ୍ୟକ ଆଲୋଚନା କରିଥିଲେ । ଅନ୍ୟତମ ଆଲୋଚକ ବିଶିଷ୍ଟ ପରିବେଶ କର୍ମୀ ଲିଙ୍ଗରାଜ ଗନ୍ଧମାର୍ଦ୍ଦନ ସୁରକ୍ଷାର ଦୃଷ୍ଟାନ୍ତ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପରିବେଶ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ପ୍ରକୃତି ବନ୍ଧୁ ମୀନକେତନ ସାହୁ ଓ ନୂଆଗଡ଼ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଶୀଳ କୁମାର ସାହୁ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ବୃକ୍ଷରୋପଣ ଓ ବନୀକରଣ କିପରି ରୋକିପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଆ ଅଧ୍ୟାପକ ଦୁର୍ଗାଶିଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସଭାକୁ ସଫଳ କରିବା ପାଇଁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ସହଯୋଗ କରିଥିବାବେଳେ ବହୁଳ ମାତ୍ରାରେ ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ ।

Leave a Reply

Your email address will not be published.

error: Content is protected !!