ବିଜେପୁର : ବିଜେପୁର ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଅନୁଷ୍ଠିତ ହେବାକୁ ଥିବା ରାବଣ ଦରବାର ପାଇଁ କଳାକାର ବରଣ କରାଯାଇଛି । ଚଳିତ ବର୍ଷ ଦଶହରା ଅବସରରେ ଆୟୋଜିତ ହେବାକୁ ଥିବା ରାମଲୀଳା ଓ ରାବଣ ଦରବାର କାର୍ଯ୍ୟକ୍ରମ ପାଇଁ ବିଶିଷ୍ଟ କଳାକାର ଗୋଲାପଚନ୍ଦ୍ର ଦାଶଙ୍କୁ ରାବଣ ଭୂମିକା ପାଇଁ ବରଣ କରାଯାଇଥିଲା । ସେହିପରି ବିଭିନ୍ନ ଭୂମିକା ପାଇଁ ମଧ୍ୟ ଏ ଅବସରରେ କଳାକାର ବରଣ କରାଯାଇଥିଲା । ବିଜେପୁର ଉପରପଡା ମେହେର ପଡାରୁ ଏକ ଭବ୍ୟ ଶୋଭାଯାତ୍ରା ସହର ପରିକ୍ରମା ପୂର୍ବକ ବିଜେପୁର ବସଷ୍ଟାଣ୍ଡ ସ୍ଥିତ ଦୁର୍ଗା ମଣ୍ଡପକୁ ପହଞ୍ଚିଥିଲା । ସେଠାରେ ପୂଜାକମିଟୀ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପଣ୍ଡିତ ସୁରେନ୍ଦ୍ର ମହାପାତ୍ର ମନ୍ତ୍ରପାଠ ପୂର୍ବକ କଳାକାର ବରଣ କରିଥିଲେ । ଚଳିତ ବର୍ଷ ଦୁର୍ଗାପୂଜା ଉତ୍ସାହ ଉଦ୍ଦୀପନା ସହ ଶାନ୍ତି ଶୃଙ୍ଖଳା ଭାବେ ପାଳନ କରାଯିବାକୁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି । ସମ୍ପାଦକ ଜନାର୍ଦ୍ଦନ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଗଙ୍ଗାଧର ପଧାନ, ଅଜିତ କୁମାର ସାହୁ, ବରିଷ୍ଠ ସଦସ୍ୟ ଯୁଗଳ ପଧାନଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ । ପରିଶେଷରେ ପାଣ୍ଡବ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।