ଭଟଲି: ଶ୍ରାବଣ ପୂଣ୍ଣିର୍ମା ତିଥିରେ ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭାବେ ଅଭିହିତ ଭଟଲି ଧାମରେ ମହାପ୍ରଭୁ ଦଧିବାମନ ଭକ୍ତ ପରମାନନ୍ଦ ବେଶରେ ଭକ୍ତଙ୍କୁ ଦଶର୍ନ ଦେଇଛନ୍ତି । ଏଥିପାଇଁ ଭଟଲି ଧାମରେ ମହାପ୍ରଭୁଙ୍କ ଏହି ବେଶ ଦଶର୍ନ ପାଇଁ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ମନ୍ଦିରରେ ପ୍ରଭୁଙ୍କ ପହଡ ଭଙ୍ଗ ତଥା ଦୈନିକ ପୂଜାନୀତି ସକାଳ ଧୂପ ପରେ ମହାପ୍ରଭୁଙ୍କ ପରମାନନ୍ଦ ବେଶ ଅନୁଷ୍ଠିତ ହୋଇଥିଲା । ଭକ୍ତ ପରମାନନ୍ଦ ବେଶରେ ଶ୍ରୀ ଦଧିବାମନ ମହାପ୍ରଭୁଙ୍କୁ, ରୂପାର କଠଉ, ରୂପାର ଲଉଡ଼ି,ରୂପାର କୋଡ଼ି ଆଦି ଜିନିଷ ଲାଗି କରାଯାଇଥିଲା । ଧୋତି ଏବଂ ଗାମୁଛାରେ ପ୍ରଭୁଙ୍କୁ ଏହି ବେଶ କରାଯାଇଥାଏ । ଭକ୍ତ ପରମାନନ୍ଦ ବେଶ ପଛରେ ଏକ ଆଖ୍ୟାୟିକା ଜଡିତ । ପ୍ରଭୁ ଶ୍ରୀ ଦଧିବାମନ ଭକ୍ତର ନିବେଦନ ଶୁଣି, ଶୂନ୍ୟ ଭଣ୍ଡାରକୁ ପୂର୍ଣ୍ଣ ଭଣ୍ଡାରରେ ପରିଣତ କରି, ସାଧୁଙ୍କୁ ତୃପ୍ତ ଭୋଜନ ଦେଇ, ଭକ୍ତଙ୍କୁ ସାଧୁ ଅଭିଶାପରୁ ରକ୍ଷା କରିଥିଲେ । ସେଥିପାଇଁ ଭକ୍ତ ପରମାନନ୍ଦଙ୍କ ବଂଶଜ ମାନେ ପରମ୍ପରାକ୍ରମେ ପ୍ରଭୁଙ୍କୁ ପ୍ରଥମ ପୂଜା ଏବଂ ଭୋଗ ଅର୍ପଣ କରିଥାନ୍ତି । ଏ ଅବସରରେ ମନ୍ଦିର ସମ୍ମୁଖସ୍ଥ ପରମାନନ୍ଦ ସ୍ମୃତିସ୍ତମ୍ଭରେ ପୂଜାର୍ଚ୍ଚନା କରାଯାଇଥିଲା । ଶ୍ରୀମନ୍ଦିରରେ ନୂତନ ନେତ ବନ୍ଧା ଯାଇଥିଲା । ଭକ୍ତ ଏବଂ ଭଗବାନଙ୍କ ମିଳନରେ ଏହିପରି ବେଶ କରାଯିବା ଅନନ୍ୟ । ଏହି ଆଲୌକିକ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଥିଲା ।

Leave a Reply

Your email address will not be published.

error: Content is protected !!