ବରଗଡ଼ : ବରଗଡ଼ ଜିଲ୍ଲାର ସ୍ୱାଧିନତା ସଂଗ୍ରାମୀଙ୍କ ସ୍ମୃତିକୁ ଜୀବିତ ରଖିବା ପାଇଁ ବରଗଡ଼ ସାମ୍ବାଦିକ ସଂଘ ଉଦ୍ୟମରେ ଏବଂ ଜିଲ୍ଲା ବନଖଣ୍ଡର ସହଯୋଗରେ ବରଗଡ଼ ସନ୍ନିକଟସ୍ଥ ବୈଷ୍ଣାଦେବୀ ମନ୍ଦିର ନିକଟସ୍ଥ ଗୋବିନ୍ଦପୁର ସଂରକ୍ଷିତ ଜଙ୍ଗଲରେ ବୃକ୍ଷରୋପଣ କରାଯାଇ ସ୍ମୃତିବନ ସ୍ଥାପନ କରାଯାଇଛି ।

ପ୍ରାକ ସ୍ୱାଧିନତା ଅମଳରୁ ସ୍ୱାଧିନତା ପ୍ରାପ୍ତିଯାଏଁ ରକ୍ତ ବୁହାଇ କାରାଦଣ୍ଡାଦେଶ ବରଣ କରିଥିବା ସମସ୍ତ ୧୫୩ ଜଣ ସଂଗ୍ରାମୀଙ୍କ ଦାୟାଦମାନେ ଗାଁରୁ ଆଣିଥିବା ସଂଗ୍ରାମୀ ମାଟି ଦେଇ ଗୋଟେ ଲେଖାଏଁ ବୃକ୍ଷ ରୋପଣ କରି ପୂର୍ବ ପୁରୁଷଙ୍କୁ ଉତ୍ସର୍ଗ କରିଥିଲେ ।

ସାମ୍ବାଦିକ ସଂଘର ସଭାପତି ଶଙ୍କର ବଲ୍ଲଭ ମିଶ୍ରଙ୍କ ଅଧ୍ୟକ୍ଷତା ଆୟୋଜିତ ସଭାରେ ମୁଖ୍ୟ ଅତିଥି ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜି , ବିଶେଷ ଅତିଥି ଆରକ୍ଷୀ ଅଧିକ୍ଷକ ସ୍ମିଥ ପି. ପରମାର , ସମ୍ମାନୀତ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ,ସମ୍ମାନୀତ ଅତିଥି ଏସିଏଫ ରାଜେନ୍ଦ୍ର ଗୋଚ୍ଛାୟତ ,ମୁଖ୍ୟବକ୍ତା ବରଗଡ଼ ସାମ୍ବାଦିକ ସଂଘର ପ୍ରାକ୍ତନ ସଭାପତି ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେଇଥିଲେ ।

ସଂଘର ଉପସଭାପତି ବୀରେନ୍ଦ୍ର ପ୍ରଧାନ ସଂଯୋଜନା ସହ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମ୍ପାଦକ ପ୍ରେମାନନ୍ଦ ଖମାରୀ ମଚାଂସୀନ ଥିଲେ । ଜାତୀୟ ସଙ୍ଗୀତରୁ ସଭାକାର୍ଯ୍ୟ ପ୍ରାରମ୍ଭ କରାଯାଇଥିବା ବେଳେ ଗ୍ରେସି ନିଶା ସିଂଘଲଙ୍କ ଦେଶାତ୍ମବୋଧକ ସଙ୍ଗୀତ ଓ ସୁରେନ ପାଣିଗ୍ରାହୀଙ୍କ ମଧୂର ବଂଶୀ ଧ୍ୱନୀ କାର୍ଯ୍ୟକ୍ରମର ମୂଖ୍ୟ ଆକର୍ଷଣ ଥିଲା ।

ଏ ଅବସରରେ ବିଭିନ୍ନ ଗାଁରୁ ଆସିଥିବା ସଂଗ୍ରାମୀଙ୍କ ଦାୟାଦମାନଙ୍କ ସମେତ ବରଗଡ଼ ଜିଲ୍ଲାର ପଦସ୍ଥ ସରକାରୀ ଅଧିକାରୀ, ଜନପ୍ରତିନିଧି ଓ ସ୍ୱେଚ୍ଛାସେବୀମାନେ ୧୫୩ ଜଣ ସଂଗ୍ରାମୀଙ୍କ ନାମରେ ସ୍ମୃତିବୃକ୍ଷ ରୋପଣ କରିଥିଲେ ।

ଘେଁସ, ପଦ୍ମପୁର, ଦେଉଲି, ଗସ୍ତଡ଼ିହି, ପାଇକମାଳ, ଭେଡ଼େନ, ରେମଣ୍ଡା, ପାଣିମୋରା, ଲଖନପୁର, ପାହାଡ଼ଶ୍ରୀଗିଡ଼ା, ଅତାବିରା, ବରପାଲି, ବରଗଡ଼ ଏବଂ ବିଭିନ୍ନ ଅଞ୍ଚଳର ସ୍ୱାଧିନତା ସଂଗ୍ରାମୀଙ୍କ ଦାୟାଦମାନେ ଉପସ୍ଥିତ ଥିଲେ । ପଶ୍ଚିମ ଓଡ଼ିଶା ସ୍ୱାଧିନତା ସଂଗ୍ରାମୀ ପରିଷଦର ସଭାପତି ପୂର୍ବତନ ମନ୍ତ୍ରୀ ପ୍ରକାଶଚନ୍ଦ୍ର ଦେବତାଙ୍କ ସମେତ ବିଭିନ୍ନ ସଂଗଠନର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ସାମିଲ ଥିଲେ । ବରଗଡ଼ ସାମ୍ବାଦିକ ସଂଘର ସମସ୍ତ ସଦସ୍ୟବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published.

error: Content is protected !!