ବରଗଡ : ଚୈତ୍ର ପୂର୍ଣ୍ଣିମା ଅବସରରେ ବରଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇ ଦେବୀଙ୍କୁ  ଗଙ୍ଗାଜଳରେ ମହାସ୍ନାନ ପୂର୍ବକ ମହାଭୋଗ ଅର୍ପଣ କରାଯାଇଥିଲା । ଯାହାକୁ ନେଇ ଶନିବାର   ଭୋରରୁ ମନ୍ଦିର ପରିସରରେ ଭକ୍ତମାନେ ଲମ୍ବାଧାଡିରେ ପହଂଚି ମାଁଙ୍କୁ ମହାସ୍ନାନ କରି  ନିଜକୁ ଧନ୍ୟ ମନେ କରିଥିଲେ । ଏ ଅବସରରେ ମହାଭୋଗ ଅର୍ପଣ କରାଯାଇଥିବା ବେଳେ ପରେ ଭକ୍ତମାନଙ୍କୁ ସେହି ମହାଭୋଗ ପ୍ରସାଦ ଆକାରରେ ଦିଆଯାଇଥିଲା । ଅପରପକ୍ଷେ ସପ୍ତଶତୀ ଚଣ୍ଡୀପାଠ ହୋମ ସହ ମାଁଙ୍କର ବାସନ୍ତିକ ପୂଜାର ପୂଣ୍ଣାହୂତୀ ଅନୁଷ୍ଠିତ ହୋଇଥିଲା ।
ଶନିବାର ଚୈତ୍ର ପୂର୍ଣ୍ଣିମା ଅବସରରେ ବରଗଡର ଅଧିଷ୍ଠାତ୍ରୀ ଦେବୀ ଗ୍ରାମ୍ୟଦେବୀ ମାଁ ସମଲେଇଙ୍କୁ ଗଙ୍ଗାଜଳରେ ମହାସ୍ନାନ କରାଯାଇଥିଲା । ମହାସ୍ନାନ ପାଇଁ ତ୍ରିବେଣୀ ସଂଗମରୁ ଗଙ୍ଗାଜଳ ଅଣାଯାଇଥିବାବେଳେ ତାହା ଭକ୍ତ ମାନଙ୍କୁ ପ୍ରଦାନ କରାଯିବା ସହ ତାକୁ ନେଇ ମାଁଙ୍କର ଜଳାଭିଷେକ କରିଥିଲେ ।  ଭୋର ୪ ଟା ୩୦ ମିନିଟରେ ମାଁ ଙ୍କର ପହଡ ଭାଙ୍ଗିବା ପରେ ମାଁଙ୍କ ସ୍ୱତନ୍ତ୍ର ପୂଜା ଆରମ୍ଭ ହେବା ସହ ଭକ୍ତମାନଙ୍କ ଦ୍ୱାରା ମାଁଙ୍କର ଗଙ୍ଗା ଜଳାଭିଷେକ କରାଯାଇଥିଲା ।

ପରେ ଭୋର ୫ ଟା ୩୦ ରୁ ମାଁଙ୍କର ଗଙ୍ଗାଜଳାଭିଷେକ ଆରମ୍ଭ ହୋଇଥିବା ବେଳେ ଏଥିରେ ହଜାର ହଜାର ଭକ୍ତ ସାମିଲ ହୋଇ ଗରା ବାଲଟିରେ ଗଙ୍ଗାଜଳ ରେ ମାଁଙ୍କ ମହାସ୍ନାନ  କରିବାର ସୌଭାଗ୍ୟ ଲାଭ କରିଥିଲେ ।  ମାଁଙ୍କର ଏହି ଜଳାଭିଷେକ ତଥା ମହାସ୍ନାନ ପାଇଁ ମନ୍ଦିର ପରିସର ତଥା ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାରେ ଲମ୍ବାଧାଡି ଦେଖିବାକୁ ମିଳିଥିଲା ।

ତେବେ ମାଁଙ୍କର ଏହି ଜଳାଭିଷେକ ବର୍ଷକରେ କେବଳ ଚୈତ୍ର ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହେଉଥିବା ବେଳେ ଆଜିର ଦିନକୁ ଭକ୍ତମାନେ ବହୁ ଆଗ୍ରହ ସହକାରେ ଅପେକ୍ଷା କରିଥିବାର ପରିଲକ୍ଷିତ ହୋଇଥିଲା । ମାଁଙ୍କ ଏହି ବାର୍ଷିକ ମହାସ୍ନାନ ଉତ୍ସବରେ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ୱ ଭକ୍ତ ସାମିଲ ହୋଇ ମାଁଙ୍କୁ ଗଙ୍ଗାଜଳ, କ୍ଷୀର, ପଣା ଆଦିରେ ସ୍ନାନ କରାଇଥିଲେ ।  ଆଜିର ଦିନରେ ମାଁଙ୍କୁ ସ୍ନାନ କରାଇଲେ ଗରମର ପ୍ରାଦୂର୍ଭାବରୁ ଦେଖାଦେଉଥିବା ବିଭିନ୍ନ ରୋଗ ଉପଶମ ହେବା ସହ ପରିବାର ତଥା ସମାଜର ମଙ୍ଗଳ ହୋଇଥାଏ ବୋଲି ଭକ୍ତଙ୍କ ମଧ୍ୟରେ  ଅତୁଟ ବିଶ୍ୱାସ ରହିଛି । ସେହିପରି ଏ ଅବସରରେ ମାଁଙ୍କୁ  ରସଗୋଲା,  ଆରିଶାପିଠା,  ରାଶି ଲଡୁ, ଇମର୍ତି, ଫେଣୀ, ରସବରା, ମୁଗମଣ୍ଡା,  ପେଡା, କାଜୁ ବର୍ଫି, ନଡିଆ କୋରା, ବାଳୁସେଇ, ଜାମଗୁଲା, ବୁନ୍ଦି, କଦଳୀ, ଅଙ୍ଗୁର  ଆଦି ୫୬ ପ୍ରକାର ମିଷ୍ଟାନ୍ନ ତଥା ଫଳମୂଳ  ଅର୍ପଣ କରାଯାଇଥିଲା । ମାନସିକ କରିଥିବା ଭକ୍ତମାନଙ୍କ ଦ୍ୱାରା ଏହି ମହାଭୋଗ ମାଁ ଙ୍କୁ ଲାଗି କରାଯିବା ପରେ ମନ୍ଦିର କମିଟୀ ତରଫରୁ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ବଣ୍ଟନ  କରାଯାଇଥିଲା । ଅପରାହ୍ନ ୧ ଟା ୩୦ରେ ମାଁ ଙ୍କ ଜଳାଭିଷେକ ସମାପ୍ତ ହୋଇଥିବା ବେଳେ ମାଁଙ୍କର ସ୍ୱତନ୍ତ୍ର ଆରତୀ ପରେ ସେହି ପାଣିଙ୍କୁ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଛଡା ଯାଇଥିଲା ।  ଭକ୍ତମାନେ ମାଁ ଗାଧୋଇଥିବା ପାଣିକୁ ଘରକୁ ନେବା ସହ ଛୋଟ ଛୋଟ ଶିଶୁ ମାନଙ୍କୁ ସେହି ପାଣିରେ ଗାଧୋଇଥିଲେ । ତେବେ ଚୈତ୍ର ପୂର୍ଣ୍ଣିମା ଅବସରରେ ମାଁଙ୍କର ଚୈତ୍ର ପୂଜା ସମାପନ ହେଉଥିବା ବେଳେ ଏ ଅବସରରେ ମାଁଙ୍କର ସପ୍ତଶତୀ ଚଣ୍ଡୀ ହୋମ ସହ ପୁର୍ଣ୍ଣାହୁତୀ ଅନୁଷ୍ଠିତ ହୋଇଥିଲା । ପରେ ପରେ ସପ୍ତଶତୀ ଚଣ୍ଡୀ ହୋମ ଆରମ୍ଭ ହେବା ସହ ପୂର୍ଣ୍ଣାହୂତୀ ଏବଂ ସାମୁହିକ ଆର୍ଶୀବାଦ ପ୍ରଦାନ କରାଯାଇଥିଲା । ଏଥିରେ ଚଣ୍ଡୀପାଠକ ପଣ୍ଡିତ ଚୂଡାମଣି ରଥ , ପୁରୋହିତ, ପଣ୍ଡିତ ଶିବ ଶଙ୍କର ଦାଶ , ପଣ୍ଡିତ ବିଘ୍ନରାଜ ଦାଶ ଏବଂ ପଣ୍ଡିତ ସୁଧାଂଶୁ ଦାଶ , ସମଲେଇ ମନ୍ଦିରର ପୂଜକ ରତ୍ନାକର ଝାଙ୍କର, ପଣ୍ଡିତ ରାଜା ଦାଶ ପୂଜାକାର୍ଯ୍ୟ ସଂପାଦନା କରିଥିଲେ । ଏଥିରେ  ନରେନ୍ଦ୍ର ଦାଶ କର୍ତା ଦାୟିତ୍ୱ ତୁଲାଇଥିବା ବେଳେ ରାମୁ ଦେଓସରିଆ, ଭରତ ମହାପାତ୍ର , ଭରତ ଅଗ୍ରୱାଲ , ପ୍ରୀତମ ଷଡ଼ଙ୍ଗୀ , ମହେଶ ଗଡ଼ତିଆ , ଭିକି ଦ୍ୱାରୀ , ରୋଶନ ପ୍ରଧାନ, ହରି ଭୋଇ ପ୍ରମୁଖ ଚରୁହୋତ୍ର ଦାୟିତ୍ୱ ନିର୍ବାହ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟୀ ଏବଂ ମାଁଙ୍କ ଶ୍ରଦ୍ଧାଳୁ ଭକ୍ତଙ୍କ ଦ୍ୱାରା ସଂପାଦିତ ହୋଇଥିଲା ।

 

Leave a Reply

Your email address will not be published.

error: Content is protected !!