ଘେଁସ : ସମ୍ବଲପୁରୀ/କୋଶଲି ଭାଷାର ଅଭିବୃଦ୍ଧି ପାଇଁ ବହୁ ସାହିତ୍ୟକଙ୍କ ଅବଦାନ ରହିଛି । ତନ୍ମଧ୍ୟରୁ ଦିବଂଗତ ହେଉଥିବା ବହୁ ପ୍ରତିଭାଙ୍କ ସାହିତ୍ୟ କ୍ରମଶଃ ବିସ୍ମୃତ ହୋଇଚାଲିଛି । ତେଣୁ ସାହିତ୍ୟର ସୁରକ୍ଷା କରିବା ସହିତ ଦିବଂଗତ ପ୍ରତିଭାଙ୍କ ସାହିତ୍ୟ ଓ ଦର୍ଶନକୁ ମନ୍ଥନ କରାଯିବା ଆବଶ୍ୟକ । ଭାଷା, ସାହିତ୍ୟର ଅଭିବୃଦ୍ଧି ଦିଗରେ ଦୀର୍ଘ ତିନି ଦଶନ୍ଧି ହେବ ଅଭିମନ୍ୟୁ ସାହିତ୍ୟ ସଂସଦ ଉଦ୍ୟମ କରିଆସୁଛି । ଏହି ଧାରାରେ ସମସ୍ତେ ସାମିଲ ହୋଇ ସାଧନା ଜାରି ରଖିବା ଉଚିତ ବୋଲି ଘେଁସ ଅଭିମନ୍ୟୁ ସାହିତ୍ୟ ସଂସଦର ‘ମେଲନ୍ ମେସନ୍ ୨୦୨୨’ ରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଏ ଅବସରରେ ମନ୍ତ୍ରୀ ସୁଶାନ୍ତ ସିଂହ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଅଭିମନ୍ୟୁ ଭବନ ଠାରେ ସ୍ୱଭାବକବି ଗଙ୍ଗାଧର ମେହେର ଓ ସାହିତ୍ୟପ୍ରାଣ କବି ଖଗେଶ୍ୱର ସେଠଙ୍କ ନବ ନିର୍ମିତ ପ୍ରତିମୂତିକୁ ଉନ୍ମୋଚନ କରିଥିଲେ । ସାହିତ୍ୟ ସଂସଦ ସଭାପତି ସୁଶାନ୍ତ ମିଶ୍ରଙ୍କ ପୌରାହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟବକ୍ତା ଭାବରେ କବି ସଂଜୟ କୁମାର ମିଶ୍ର, ସମ୍ମାନୀତ ଅତିଥି ସାହିତ୍ୟକ ଅଶୋକ ମହାପାତ୍ର, ଡ.ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ଦିବ୍ୟକିଶୋର ଦେବତା, କେଶରଂଜନ ପଧାନ, ଅଶୋକ ବହିଦାର ପ୍ରମୁଖ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ସଂସଦର ବରିଷ୍ଠ ସଦସ୍ୟ ଅଶୋକ ପୁଜାହାରୀ ଉଦ୍ଦେଶ୍ୟ ଜ୍ଞାପନ ଓ ପରିଚୟ ପ୍ରଦାନ କରିଥିଲେ । ୨୦୨୧ ବର୍ଷ ପାଇଁ ବଲାଙ୍ଗୀରର ସାହିତ୍ୟକ ନାମଯଜ୍ଞ ମିଶ୍ରଙ୍କୁ ଅଭିମନ୍ୟୁ ସମ୍ମାନ, ଅନିଲ କୁମାର ଦାଶଙ୍କୁ ଆଳୋଚନା, ରୋହିତ କୁମାର ଦାଶଙ୍କୁ କଥାନି, ଅତୀଶ କୁମାର ଶତପଥିଙ୍କୁ ନାଟକ ଓ ହରିଲାଲ ସ।।ହୁଙ୍କୁ କବିତା ବିଭାଗ ପାଇଁ ବଉଲ ସମ୍ମାନ ପ୍ରଦାନ କରାଯାଇଥିଲା । ବିଶିଷ୍ଟ ମୂର୍ତି ଶିଳ୍ପୀ ଅମୂଲ୍ୟ ଭୋଇଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସଂସଦର ମୁଖପତ୍ର ‘ବଉଲ’ , ଉକିଆ ସାହିତ୍ୟ ସଂସଦର ‘ଉକିଆ ଜନ’ , ଡ.ସୁବାସ ମେହେରଙ୍କ ନାଟକ ସଂକଳନ ‘ସପ୍ତବର୍ଣ୍ଣା’, ମୀନୁ ହୋତାଙ୍କ ଉପନ୍ୟାସ ‘ନନ୍ଦିନୀ’ ଓ କବିତା ସଂକଳନ ନୀରଜ ଦାଶ ଶର୍ମାଙ୍କ ‘ପାଟବେନ୍ଦଲା’, ସୁକୁମାରଙ୍କ ‘ଜୀବନର ରଂଗ’, ଭୁବନେଶ୍ୱର ସେଠଙ୍କ ‘କୃଷ୍ଣ ସୁଦାମା’ ଆଦି ଉନ୍ମୋଚିତ ହୋଇଥିଲା । ପରେ ଡ.ସୁବାସ ମେହେରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନରେ ସାହିତ୍ୟକ ଉତ୍ପନ୍ନ ଭୋଇ, ମୋହନ ସିଂହ କହ୍ନେଇ, ସୋମନାଥ ପଧାନ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ । ସୁକୁମାର ଭୋଇ କବିତା ସଂଯୋଜନା କରିଥିଲେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ ସମବେଶ ଶତାଧିକ ପ୍ରବୀଣ ଓ ନବୀନ କବି କବିତା ପାଠ କରିଥିଲେ । ପରିଶେଷରେ ସାହିତ୍ୟ ସଂସଦ ସଂପାଦକ ଶୋଭାଚନ୍ଦ୍ର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।