ବରପାଲି : ବରପାଲି ମାଟିରେ ଫଳିଛି ବିଦେଶୀ ଫଳ ଡ୍ରାଗନ । ଆଉ ଏହି ଡ୍ରାଗନ ଫୁଡ ଚାଷ କରି ସଫଳ ହୋଇଛନ୍ତି ବରଗଡ଼ ବରପାଲି ବ୍ଲକ କୁମ୍ଭାରୀ ଗ୍ରାମର ଯୁବଚାଷୀ ଜଟାଧାରୀ ପ୍ରଧାନ । ମାତ୍ର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଜଟାଧାରୀ ୟୁଟ୍ୟୁବ ଜରିଆରେ ଚାଷ କାର୍ଯ୍ୟର ପ୍ରଣାଳୀ ଦେଖି ଚାରା ମଗାଇବା ସହ ବରପାଲିର ବାରଙ୍ଗପାଲି ଠାରେ ୨୦ ଡେସିମିଲ ଜାଗାରେ ଚାଷ କରିଛନ୍ତି । ଜଟାଧାରୀ କୁମ୍ଭାରୀ ଗ୍ରାମରେ ନିଜ ଜମି ଏବଂ ଭାଗରେ ୧ ଏକର ଜମିରେ ଧାନ ଚାଷ କରି ପରିବାର ପୋଷଣ କରନ୍ତି ।
ହେଲେ ୟୁଟ୍ୟୁବ ମାଧ୍ୟମରେ ଦେଖି ଏବଂ କିଛି ନୂଆ କରିବାର ଆଶା ନେଇ ଜଟାଧାରୀ ଆରମ୍ଭ କଲେ ଡ୍ରାଗନ ଫୁଡ ଚାଷ । ଅନଲାଇନ ମାଧ୍ୟମରେ ଚାରା ଆଣି ଚାଷ କରିଥିବାବେଳେ ୯ ମାସ ପରେ ଫୁଲ ସହ ରଙ୍ଗ ବେରଙ୍ଗର ଡ୍ରାଗନ ଫୁଡ ଉତ୍ପାଦନ ହେଉଛି । ଧାନ ଚାଷର ବିକଳ୍ପ ଚାଷ ଭାବେ ଏହି ଡ୍ରାଗନ ଫୁଡର ଉତ୍ପାଦନ କରିଛନ୍ତି ଏବଂ ବଜାରରେ ଏହାର ଭଲ ଚାହିଦା ରହିଥିବାରୁ ଆଗାମୀଦିନରେ ଆହୁରି ଚାଷ କରିବି ବୋଲି ଜଟାଧାରୀ ପ୍ରଧାନ କହିଛନ୍ତି । ଏହି ଫଳରେ ଔଷଧୀୟ ଗୁଣ ରହିଥିବାବେଳେ ଏହାର ବଜାର ଦାମ କିଲୋ ପ୍ରତି ୨ ଶହ ଟଙ୍କା ରହିଛି । ଥରେ ଏହି ଚାଷ କଲେ ୨୫ ବର୍ଷ ପର୍ଯ୍ୟନ୍ତ ଫଳ ଉତ୍ପାଦନର କ୍ଷମତା ରହିଛି । ଯାହା ଫଳରେ ଏହା ଏକ ଲାଭ ଦାୟକ ଫସଲ ଭାବେ ପରିଗଣିତ ହେବାରେ ଲାଗିଛି । ନୂତନ ପ୍ରକାରର ବିଦେଶୀ ଡ୍ରାଇଗନ ଫୁଡ ବରପାଲିର ବାରଙ୍ଗପାଲି ଠାରେ ଥିବାରୁ ଏହି ଡ୍ରାଗନ ଫୁଡ ଚାଷ ବଗିଚାକୁ ଦେଖିବା ପାଇଁ ପ୍ରତିଦିନ ଲୋକଙ୍କ ସୁଅ ଛୁଟୁଛି ।