ବରଗଡ : ବରଗଡର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଇ ମହାଳୟା ଅବସରରେ ଭକ୍ତମାନଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଇଥିଲେ । ମାଁ ବର୍ଷସାରା ଲାଲ ରଙ୍ଗରେ ଦର୍ଶନ ଦେଉଥିବା ବେଳେ ଆଜିର ଦିନରେ ଭକ୍ତ ମାନଙ୍କୁ ଏହି ଧଳା ତଥା ଶୁଭ୍ର ରଙ୍ଗରେ ଦର୍ଶନ ଦେଇଥାନ୍ତି । ଏହି ଅବସରରେ ମାଁ ସମଲେଇଙ୍କ ପୀଠରେ ବିଶ୍ୱର କଲ୍ୟାଣ ନିମିତ ସହତ୍ସାଧିକ ଦୀପ ଦାନ କରାଯାଇଥିଲା । କୋଭିଡ କଟକଣା ପାଳନ ପୂର୍ବକ ଭକ୍ତମାନେ ମାଁଙ୍କ ଦର୍ଶନ ଲାଭ କରିଥିଲେ । ଅନୁରୂପ ଭାବେ ମାଁ ସମଲେଇଙ୍କ ଶାରଦୀୟ ନବରାତ୍ର ପୂଜା ପାଇଁ ଖଣ୍ଡାଧୂଆ ପର୍ବ ଅନୁଷ୍ଠିତ ହେବା ସହ କଳସ ଆବାହନ ପୂର୍ବକ ପୂଜା ମଣ୍ଡପେ ସ୍ଥାପନ କରାଯିବ । ଶାରଦୀୟ ନବରାତ୍ର ପୂଜନ ଉତ୍ସବ ପାଇଁ ଅକ୍ଟୋବର ୭ ତାରିଖରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ମାଁ ସମଲେଇଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରାଯିବ ବୋଲି ମନ୍ଦିର କମିଟୀ ତରଫରୁ ସୂଚନା ଦିଆଯାଇଛି ।