ବରଗଡ଼ : ଭାରତର ଆର୍ଥିକ ଅଭିବୃଦ୍ଧିରେ ସ୍ୱାସ୍ଥ୍ୟ ସେବାର ପ୍ରମୁଖ ଭୁମିକା ରହିଛି ଏବଂ ଏହି ଅଭିବୃଦ୍ଧିକୁ ଜାରି ରଖିବାକୁ ହେଲେ ନର୍ସିଂ ପାଠ୍ୟକ୍ରମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ବିଧୁଭୂଷଣ ମିଶ୍ର ପ୍ରକାଶ କରିଛନ୍ତି । ସ୍ଥାନୀୟ ମାହେଶ୍ୱରୀ ନର୍ସିଂ କଲେଜର ବାର୍ଷିକ ଉତ୍ସବ ଓ ଶପଥ ଗ୍ରହଣ ଉତ୍ସବର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ପ୍ରଫେସର ବିଧୁଭୁଷଣ ମିଶ୍ର , ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ସିଡିଏମଓ ଡାକ୍ତର ସାଧୁଚରଣ ଦାଶ , ମୁଖ୍ୟବକ୍ତା ଭାବରେ ଆନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବରେ ବିଜେପି ଜିଲ୍ଳା ସଭାପତି ଅରୁପାନନ୍ଦ ସାହୁ , ସମାଜସେବୀ ପାଣ୍ଡବ କର୍ଣ୍ଣ, ମୁକୁନ୍ଦ ଦାଶଙ୍କ ସମେତ ମାହେଶ୍ୱରୀ ଗ୍ରୁପ ଅଫ୍ ଏଜୁକେସନର ଚେୟାରମେନ ଫକୀର କର୍ଣ୍ଣ , ସଂପାଦିକା ସନ୍ତୋଷିନୀ କର୍ଣ୍ଣ ପ୍ରମୁଖ ମଞ୍ଚାସୀନ ଥିଲେ । ଅଧ୍ୟାପିକା ଓ.ଗ୍ଳୋରୀଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ ପଙ୍କଜ କୁମାର ବାଗ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ମହମବତୀ ଜାଳି ନର୍ସିଂ ସେବାର ଶପଥ ଗ୍ରହଣ କରିଥିଲେ । ଏହା ପରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମର ପୁରସ୍ଥାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ବିଜୟ ସାର୍ ଧନ୍ୟବାଦ ଅର୍ପଣ କରିଥିଲେ । ଏ ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar