ବରଗଡ଼ : ବରଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକ ଭବନଠାରେ ‘ଗଣମାଧ୍ୟମର ପରିବର୍ତ୍ତିତ ସ୍ୱରୁପ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବରଗଡ଼ ସାମ୍ବାଦିକ ସଂଘର ସଭାପତି ସୁରେନ୍ଦ୍ର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମିଶ୍ର ଭିତ୍ତି ନିବନ୍ଧ ଉପସ୍ଥାପନ କରିଥିଲେ । ସେ ନିଜର ଉଦବୋଧନରେ ୧୯୯୦ ରେ ସୋଭିତ ରୁଷର ପତନ ପରେ ପୁଞ୍ଜି ଭିତ୍ତିକ ବଜାରର ସାରା ପୃଥିବୀରେ ପ୍ରଭାବ ସୃଷ୍ଟି ହେବା ପରେ ଏହା ଦ୍ୱାରା ଗଣମାଧ୍ୟମ କିପିର ପ୍ରଭାବିତ ହୋଇଛି ସେ ବିଷୟରେ ବିଶଦ ଆଲୋଚନା କରିଥିଲେ । ଆଲୋଚନା ଚକ୍ରେରେ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗଣମାଧ୍ୟମ ବିଷୟରେ ଶିକ୍ଷାଦାନ କରୁଥିବା ଜୟପ୍ରକାଶ ଶତପଥୀ କହିଥିଲେ ଯେ ଛାପା ମାଧ୍ୟମରୁ ଆରମ୍ଭ ହୋଇଥିବା ଗଣମାଧ୍ୟମ ବର୍ତମାନ ଅତ୍ୟାଧୁନିକ ଡିଜିଟାଲ ଯୁଗକୁ ପ୍ରବେଶ କରିଛି । ଏହି ଡିଜିଟାଲ ପରିବର୍ତନ ଯୋଗୁଁ ଖବର ଗୁଡିକର ପ୍ରସାର ଯଥେଷ୍ଟ ବୃଦ୍ଧି ପାଇବା ସହ ଏହାର ବ୍ୟବସାୟିକ ସ୍ୱରୁପରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖାଦେଇଛି । ଗଣମାଧ୍ୟମ ଗୁଡିକ ବର୍ତମାନ ସାରା ଭାରତରେ ପ୍ରାୟ ୭୫ ହଜାର କୋଟି ଟଙ୍କାର ବିଜ୍ଞାପନ ଆୟ କରୁଛନ୍ତି । ଏଥିରୁ ଧିରେ ଧିରେ ଡିଜିଟାଲ ଗଣମାଧ୍ୟମକୁ ଯାଉଥିବା ଅଂଶ ବଢ଼ିଚାଲିଥିବା ବେଳେ ଅନ୍ୟମାଧ୍ୟମରେ ଏଥିରେ ହ୍ରାସ ପରିଲକ୍ଷିତ ହେଉଛି । ଛାପା ଗଣମାଧ୍ୟମ ଓ ଇଲୋକଟ୍ରୋନିକ୍ସ ମିଡିଆରେ ଖର୍ଚ୍ଚ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଏହାକୁ କ୍ରୟ କରୁଥିବା ଲୋକ ସେତେ ଅଧିକ ଖର୍ଚ୍ଚ କରିବା ପାଇଁ ସମର୍ଥ ହେଉ ନ ଥିବାରୁ କମ୍ ଖର୍ଚ୍ଚରେ ମିଳୁଥିବା ଡିଜିଟାଲ ମାଧ୍ୟମ ପ୍ରତି ଆକୃଷ୍ଟ ହେଉଛନ୍ତି । ବର୍ତମାନ ଅଧିକାଂଶ ଜାତୀୟ ସ୍ତରର ଗଣମାଧ୍ୟମ ମଧ୍ୟ ଆଉ ମାଗଣାରେ ତାଙ୍କର ଇ ପେପରଗୁଡିକ ଦେଉନାହାନ୍ତି । ଏପରିକି ବିଦେଶରେ ଯେତେ ଖବର ପଢ଼ିବ ସେତିକି ଦେୟ ଦେବାର ବ୍ୟବସ୍ଥା ମଧ୍ୟ ଆରମ୍ଭ ହେଲାଣି ।
ଏହାଛଡା ନାଗରିକ ସାମ୍ବାଦିକତାର ବୃଦ୍ଧି ସହ ଇଣ୍ଟର ଏକ୍ଟିଭ ମିଡିଆ ଏକ ନୂତନ ଯୁଗକୁ ପ୍ରବେଶ କରୁଛି ଏବଂ ଏହି ସମୟରେ ଖବରର ଗ୍ରହଣୀୟତା ପାଇଁ ପାଠକ ବା ଦର୍ଶକମାନଙ୍କୁ ଆଗକୁ ଆହୁରି ସଚେତନ ହେବାକୁ ପଡିବ । ଅନ୍ୟତମ ସମ୍ମାନୀତ ଅତିଥି ତଥା ପଞ୍ଚାୟତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପତିତପାବନ ସାହୁ ସାମ୍ବାଦିକମାନଙ୍କୁ ସମାଜର ଚତୁର୍ଥ ସ୍ତମ୍ଭ ହିସାବରେ ନିଜର କାର୍ଯ୍ୟଧାରାକୁ ଜାରି କରିବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ସଂଘର ପୂର୍ବତନ ସଦସ୍ୟ ପୃଥୀନାଥ ସାହୁଙ୍କ ବିୟୋଗରେ ଗୋଟିଏ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପରିଶେଷରେ ବରିଷ୍ଠ ସଦସ୍ୟ ଲଲାଟେନ୍ଦୁ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।