ବରଗଡ଼: ଇମ୍ପେରିୟଲ କଲେଜରେ ଆୟୋଜିତ ଏକଦିନିଆ “ଏଲିକ୍ସିର ଆଲୋଚନାଚକ୍ର” ମାଧ୍ୟମରେ ଉଚ୍ଚ ଶିକ୍ଷାରେ ସମସ୍ୟା ସମାଧାନ ପାଇଁ ଇଣ୍ଟରଡିସିପ୍ଲିନାରୀ ଶିକ୍ଷାର ଭୂମିକା ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର  ବିଶିଷ୍ଟ ଶିକ୍ଷାବିଦ୍ ତଥା ଅଧ୍ୟାପକଗଣ  ଉପସ୍ଥିତ ଥିଲେ ଏବଂ ସେମାନେ ଇଣ୍ଟରଡିସିପ୍ଲିନାରୀ ଶିକ୍ଷା ପାଇଁ ତାଙ୍କର ସୁଚିନ୍ତିତ ମତାମତ ପ୍ରକାଶ କରିଥିଲେ। ସେମାନଙ୍କ ମତରେ, ଏହି ଆଧୁନିକ ଆଦର୍ଶ ଶିକ୍ଷା ପଦ୍ଧତି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଦୃଷ୍ଟିକୋଣରୁ ଚିନ୍ତା କରିବାର କ୍ଷମତା ଓ ନୂତନ ଜ୍ଞାନ ସଂପାଦନ କରିବାରେ ବିଶେଷ ସହାୟକ ହୋଇପାରିବ।

ପ୍ରଥମ ଅଧିବେଶନରେ  ବେନେଟ ୟୁନିଭର୍ସିଟିର ଆସୋସିଏଟ ପ୍ରୋଫେସର ଡ଼ା. ତିଲକ ଝା, ବନାରସ ହିନ୍ଦୁ ୟୁନିଭର୍ସିଟିର ପ୍ରଫେସର ଡା. ମୀନାକ୍ଷୀ ସିଂହ, ନଳିନୀଦେବୀ ମହିଳା ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ, ଭୁବନେଶ୍ଵର ଆସିଷ୍ଟାଣ୍ଟ ପ୍ରଫେସର  ଡ଼ା. ରୂପମ ପ୍ରିୟା ଏବଂ ୨୦୨୪ ରାଷ୍ଟ୍ରୀୟ ସମ୍ମାନପ୍ରାପ୍ତ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର କର ଉପସ୍ଥିତ ହୋଇ “ଇଣ୍ଟରଡିସିପ୍ଲିନାରୀ ଶିକ୍ଷାର ପ୍ରାକଟ୍ୟ ଓ ପ୍ରୟୋଗ” କେମିତି ହୋଇପାରେ, ଏହା ଉପରେ ମୁଖ୍ୟତଃ ଆଲୋଚନା କରିଥିଲେ।

ଦ୍ୱିତୀୟ ଅଧିବେଶନରେ ଇମ୍ପେରିୟଲ କଲେଜର ଅଧ୍ୟକ୍ଷ ଡ଼ା. ଦୁର୍ଗେଶ ଶତପଥୀ, ଅଧ୍ୟାପକ ରାକେଶ ମିଶ୍ର, ଅଧ୍ୟାପିକା ସ୍ୱାତି ରଣା ଏବଂ ଶ୍ରୀ ନରେନ୍ଦ୍ର ପ୍ରଧାନ ନିଜର ନୀତିବିଷୟକ ସଂକଳ୍ପ ଓ ଇଣ୍ଟରଡିସିପ୍ଲିନାରୀ ଶିକ୍ଷାର ଭୂମିକା ଉପରେ ଚର୍ଚ୍ଚା କରିଥିଲେ। କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ଏ ସଂକ୍ରାନ୍ତରେ ନିଜର ସଂକ୍ଷିପ୍ତ ଚିନ୍ତାଧାରା ଉପସ୍ଥାପନ କରି  ତାଙ୍କର ଜ୍ଞାନ ଓ ଉତ୍ସାହ ପ୍ରଦର୍ଶନ କରିଥିଲେ।  ତୃତୀୟ ପ୍ୟାନେଲରେ ଛାତ୍ରୀ ଲାବନ୍ୟ ପଣ୍ଡା, ସଞ୍ଚିତା ତ୍ରିପାଠୀ, ଜାସମିନ ଭୋଇ ଏବଂ ଅକଂଶ୍ୟା ବେହେରା ଇଣ୍ଟରଡିସିପ୍ଲିନାରୀ ଶିକ୍ଷାର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ ଏବଂ ଏହାକୁ ନୂତନ ଶିକ୍ଷା ନୀତି ରୂପେ କିପରି ଗୃହୀତ କରାଯାଇପାରିବ ତାଉପରେ ନିଜର ଚିନ୍ତାଧାରା ଉପସ୍ଥାପନ କରିଥିଲେ।

ଏହି ଆଲୋଚନାଚକ୍ର ପରେ ଇମ୍ପେରିୟଲ କଲେଜର ଚେୟାରମେନ ଶ୍ରୀ ଦୀପକ ଗୋୟଲଙ୍କ ସହ ଏକ ସିଧାସଳଖ ଆଲୋଚନା ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଯାହାକୁ ଛାତ୍ରୀ ସୁଶ୍ରୀ ମାନସୀ ହିନ୍ଦୋଚା ସଂଚାଳନା କରିଥିଲେ । ଶେଷରେ ଅଧ୍ୟାପିକା ଗାୟତ୍ରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।
Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar