ନୂଆପଡ଼ା : ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ସମାରୋହରେ ଦିଲ୍ଲୀ ରାଜପଥରେ ରାଜ ଅତିଥି ଭାବେ ସାମିଲ ହେବେ ନୂଆପଡ଼ା ଜିଲ୍ଲାର ଚକୋଟିଆ ଭୁଞ୍ଜୀଆ ଆଦିବାସୀ ଦମ୍ପତି । ଅପହଞ୍ଚ ମାଓ ଅଞ୍ଚଳ ଭାବେ ଥିବା ସୁନାବେଡ଼ା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆ ଦମ୍ପତି ଭୁଜବଲ ମାଝି ଓ କୁଞ୍ଜବାଇ ମାଝିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚୟନ ପରେ ଏଥିଲାଗି ଦିଲ୍ଲୀରୁ ନିମନ୍ତ୍ରଣ ଆସିଛି । ଦିଲ୍ଲୀରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଓ ଆଦିମ ଜନଜାତିଙ୍କ ପାରମ୍ପରିକ କନ୍ଦମୂଳ ଓ ମିଲେଟ୍‌ ଜାତୀୟ ଖାଦ୍ୟ ଖାଇବାକୁଦେବେ ବୋଲି ଦମ୍ପତି ଉତ୍ସାହ ପ୍ରକାଶ କରିଛନ୍ତି ।
ପ୍ରତିବର୍ଷ ଓଡ଼ିଶାରୁ ଏକ ନିର୍ଦ୍ଦିଷ୍ଟ ଆଦିମ ଜନଜାତି ସମ୍ପ୍ରଦାୟର ବ୍ୟକ୍ତି ବିଶେଷଙ୍କୁ ରାଜଅତିଥି ଭାବେ ନିମନ୍ତ୍ରଣ କରାଯାଇଥାଏ । ଏଥର ସୁନାବେଡ଼ା ଅଭୟାରଣ୍ୟରୁ ଚକୋଟିଆ ଭୁଞ୍ଜିଆ ଦମ୍ପତି ସ୍ଥାନ ପାଇଛନ୍ତି । କାର୍ଯ୍ୟକ୍ରମରେ ରାଜ୍ୟରୁ କେବଳ ଆଦିମ ଜନଜାତି ସମ୍ପ୍ରଦାୟରୁ ଚକୋଟିଆ ଭୁଞ୍ଜିଆ ଦମ୍ପତି ସାମିଲ ହେବେ । ପାରମ୍ପରିକ ବେଶପୋଷାକ ପରିଧାନକରି କାର୍ଯ୍ୟକ୍ରମରେ ସାମିଲହେବେ । ସମ୍ପ୍ରଦାୟରେ ଚପଲ ପିନ୍ଧିବାର ପରମ୍ପରା ନଥିବାରୁ ଭୁଞ୍ଜିଆ ଦମ୍ପତି ଖାଲିପାଦରେ ଯାତ୍ରା କରିବେ ବୋଲି କହିଛନ୍ତି।ଜାନୁୟାରୀ ୨୧ରେ ଏମାନେ ସୁନାବେଡ଼ାରୁ ବାହାରିବେ । ଏମାନଙ୍କ ସହ ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା ସ୍ୱତନ୍ତ୍ର ଅଧିକାରୀ ହିମାଂଶୁ ମହାପାତ୍ର ମଧ୍ୟ ଯାତ୍ରା କରିବେ । ଏମାନେ ଉଡ଼ାଜାହାଜରେ ପ୍ରଥମକରି ଯାତ୍ରା କରିବାକୁ ଯାଉଥିବାରୁ ବେଶ୍‌ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି ।
ଦିଲ୍ଲୀ ସମାରୋହରେ ଯୋଗଦେବା ସହ ଏମାନେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ସମେତ ବହୁ ମନ୍ତ୍ରୀ ଓ ଅଧିକାରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ସୁନାବେଡା ଉପତ୍ୟକାର ଆଦିମ ଜନଜାତିଙ୍କ ପାରମ୍ପରିକ ଖାଦ୍ୟ କନ୍ଦମୂଳ ଓ ମିଲେଟ ଜାତୀୟ ଖାଦ୍ୟ ରାଷ୍ଟ୍ରମୁଖ୍ୟଙ୍କୁ ଖାଇବାକୁ ଦେବେ । ଦିଲ୍ଲୀର ବିଭିନ୍ନ ଦର୍ଶନୀୟ ତଥା ଐତିହାସିକ ସ୍ଥାନ ପରିଦର୍ଶନ କରି ଫେବୃୟାରୀ ୨ରେ ଫେରିବାର କାର୍ଯ୍ୟକ୍ରମ ରହିଥିବା ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା ଅଧିକାରୀ ହିମାଂଶୁ ମହାପାତ୍ର କହିଛନ୍ତି ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar