ଅମ୍ବାଭୋନା : ଆଜି ସମଗ୍ର ଭାରତରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଭାରତୀୟ ପରମ୍ପରା ଅନୁସାରେ ଭାଇ ହାତରେ ରାଖି ବାନ୍ଧି ନିଜ ସଂପର୍କକୁ ସୁଦୃଢ଼ କରି ନିଜର ସୁରକ୍ଷା ଦାୟିତ୍ୱ ଅର୍ପଣ କରିଥାଏ ଭଉଣୀ । ଠିକ ସେହିପରି ବରଗଡ଼ ଜିଲ୍ଳାର ଉପାନ୍ତ ଗ୍ରାମ ଖପରାଖୋଲ ଗ୍ରାମବାସୀ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଥିବା ବୃକ୍ଷ ଗୁଡିକରେ ରାଖି ବାନ୍ଧି ତାର ସୁରକ୍ଷା ଦାୟିତ୍ୱ ହାତକୁ ନେଇ ଏକ ଭିନ୍ନ ଉଦାହରଣ ସାଜିଛନ୍ତି ।
ବରଗଡ଼ ଜିଲ୍ଳା ଅମ୍ବାଭୋନା ବ୍ଳକ ଖପରାଖୋଲ ଗ୍ରାମ । ଆଜି ରକ୍ଷାବନ୍ଧନ ଅବସରରେ ସରାଇଦମକ ବୁଢ଼ାରଜା ସଂରକ୍ଷିତ ଜଙ୍ଗଲରେ ଥିବା ବୃକ୍ଷଗୁଡିକରେ ରାଖି ବାନ୍ଧି ତାର ସୁରକ୍ଷା ଦାୟିତ୍ୱ ନେଇଛନ୍ତି ଖପରାଖୋଲ ଗ୍ରାମବାସୀ । ଗ୍ରାମବାସୀ ବୃକ୍ଷ ସହ ନିଜର ସଂପର୍କକୁ ସୁଦୃଢ଼ କରିବା ନେଇ ଏହି ନିଆରା ପ୍ରୟାସ କ୍ରମେ ବୃକ୍ଷଗୁଡିକରେ ରାଖି ବାନ୍ଧି ତାର ସୁରକ୍ଷା ପାଇଁ ଶପଥ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଭଟଲି ରେଞ୍ଜ ଅନ୍ତର୍ଗତ ଦ୍ୱାରୀ ବିଟର ବନରକ୍ଷୀ ଲିଜି ମହାପାତ୍ର , ଖପରାଖୋଲ ସରାଇଦମକ ବୁଢ଼ାରଜା ସଂରକ୍ଷିତ ଜଙ୍ଗଲ ସମିତିର ସଭାପତି ଗୋବିନ୍ଦ କଠାର, ମହେନ୍ଦ୍ର ବଢ଼େଇ , ଗଜାଧର ଦାସଙ୍କ ସମେତ ବହୁ ଗ୍ରାମବାସୀ ସାମିଲ ହୋଇଥିଲେ । ଗ୍ରାମବାସୀଙ୍କ ଏପରି ପ୍ରୟାସକୁ ବିଭିନ୍ନ ମହଳରେ ପ୍ରଶଂସା କରାଯାଇଛି ।