ବରଗଡ : ପଶ୍ଚିମ ଓଡିଶାର ଅନ୍ୟତମ ତୀର୍ଥକ୍ଷେତ୍ର ତଥା ଧର୍ମପୀଠ ନୃସିଂହନାଥଠାରେ ପାଞ୍ଚ ଦିନ ଧରି ଚାଲିବାକୁ ଥିବା ମହାପ୍ରଭୁଙ୍କ ଶ୍ରୀ ଶ୍ରୀ ନୃସିଂହନାଥଙ୍କ ଜନ୍ମୋତ୍ସବ ତଥା ବୈଶାଖ ମେଳା ଗୁରୁବାର ଆରମ୍ଭ ହୋଇଛି । ମଇ ୧୨ ତାରିଖରୁ ମଇ ୧୬ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମେଳା ପାଇଁ ମନ୍ଦିର ପ୍ରଶାସନ ତରଫରୁ ଭକ୍ତ ମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା  କରାଯାଇଛି ।
ବରଗଡ ଜିଲ୍ଳା ସଦର ମହକୁମାଠାରୁ ୧୧୫ କିଲୋମିଟର ଦକ୍ଷିଣ ସୀମାନ୍ତରେ ରହିଛି ଗନ୍ଧମାର୍ଦ୍ଦନ ପର୍ବତ । ପର୍ବତର ପାଦ ଦେଶରେ ଘଞ୍ଚ ବନାନୀ ପରିବେଶରେ ଭଗବାନ ବିଷ୍ଣୁଙ୍କର ଅନ୍ୟତମ ଅବତାର ମାର୍ଜାର କେଶରୀ ରୂପରେ ପୂଜା ପାଉଛନ୍ତି ମହାପ୍ରଭୁ ନୃସିଂହନାଥ ।

ପ୍ରତିବର୍ଷ ବୈଶାଖ ଚତୁର୍ଦ୍ଦଶୀରେ ମହାପ୍ରଭୁ ନୃସିଂହନାଥଙ୍କ ଜନ୍ମୋତ୍ସବ ପାଳିତ ହୋଇଥାଏ । ଏହାକୁ ଉତ୍ସାହ ଉଦ୍ଦୀପନାର ସହ ପାଳନ କରିବା ପାଇଁ ମନ୍ଦିର ପ୍ରଶାସନ ତରଫରୁ ବୈଶାଖ ମେଳାର ଆୟୋଜନ କରାଯାଉଥିବା ବେଳେ ଚଳିତ ବର୍ଷ ଗୁରୁବାରରୁ ମେଳା ଅ।।ରମ୍ଭ ହୋଇଯାଇଛି ।  ତେବେ ପ୍ରତିବର୍ଷ ବୈଶାଖ ମାସରେ ମହାପ୍ରଭୁଙ୍କ ଜନ୍ମୋତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଥାଏ  । ଗୁରୁବାର ମେଳାର ପ୍ରଥମ ଦିବସରେ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ କଳସ ଅଧିବାସ ଅନୁଷ୍ଠିତ ହୋଇଥିଲା । ଏହା ସହ  ୧୩ ତାରିଖରୁ  ଚାରି ଦିନ ଧରି ନୃସିଂହନାଥ ପୀଠରେ ବିଶ୍ୱ ଶାନ୍ତି ଯଜ୍ଞ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।  ଏଥିରେ ୧୨ ଜଣ ପଣ୍ଡିତଙ୍କ ଦ୍ୱାରା ଏକ ଲକ୍ଷ ପଚିଶ ହଜାର ବୀଜ ମନ୍ତ୍ର ଜପ କରାଯିବ ।  ସେହିପରି ବୈଶାଖ ଚତୁର୍ଦ୍ଦଶୀ ଅବସରରେ ମହାପ୍ରଭୁଙ୍କ ଜନ୍ମୋତ୍ସବ ପାଳିତ ହେବା ସହ ସନ୍ଧ୍ୟାରେ କନ୍ଧ ସମାଜ ଦ୍ୱାରା ପାରମ୍ପରିକ ସରସତିଆ ଭୋଗ, ପିକ କନ୍ଦା ଭୋଗ ଅର୍ପଣ କରାଯାଇ ମହାଦୀପ ସ୍ଥାପନ ଏବଂ ମନ୍ଦିରରେ ଧ୍ୱଜା ବନ୍ଧନ କରାଯିବ ।

ମେଳା ସମୟରେ ନୃସିଂହନାଥ ପୀଠ ତଥା ଗନ୍ଧମାର୍ଦ୍ଦନ ପର୍ବତରେ ଥିବା ପାପନାଶିନୀ ଝରଣା,ଗୋକୁଣ୍ଡ ଘାଟ,କପିଳଧାର, ପଞ୍ଚୁପାଣ୍ଡବ,ଭୀମମଡୁଆର ବିଭିନ୍ନ ସ୍ଥାନରେ ସୁରକ୍ଷା ତଥା ଆଲୋକର ବ୍ୟବସ୍ଥା କରାଯାଇଛି ।  ଆଉ ମଧ୍ୟ ବୈଶାଖ ମେଳାରେ ହଜାର ହଜାର ଶ୍ରଦ୍ଧାଳୁ  ପାପନାଶିନୀ ଝରଣା ଏବଂ ଗୋକୁଣ୍ଡ ଘାଟରେ ବୁଡ ପକାଉଥିବା ବେଲେ ଏଠାରେ ମଧ୍ୟ ମନ୍ଦିର ତରଫରୁ ବିଶେଷ ବ୍ୟବସ୍ଥା କରାଯାଇଛି । ଏହି ପୀଠକୁ ଛତିଶଗଡ , ଆନ୍ଧ୍ର ସମେତ ପଶ୍ଚିମ ଓଡିଶାରୁ ବହୁ ଭକ୍ତ ଆସୁଥିବା ବେଳେ ମେଳାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅସ୍ଥାୟୀ ଦୋକାନ ଭିଡ ଜମାଇବାକୁ ଲାଗିଗଲେଣି ।  ଚଳିତ ବର୍ଷ ବୈଶାଖ ମେଳାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ତରଫରୁ ପର୍ଯ୍ୟାପ୍ତ ପରିମାଣ ପାନୀୟ ଜଳ, ବିଭିନ୍ନ ସ୍ଥାନରେ ଉଜ୍ଜଳ ଆଲୋକ  ସହ ରହଣୀର ବ୍ୟବସ୍ଥା କରାଯାଇଥିବା ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ସୂଚନା ଦିଆଯାଇଛି  ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar