ବରଗଡ଼ : ଭାରତୀୟ ସଂସ୍କୃତିର ସର୍ବୋତ୍କୃଷ୍ଟ କାବ୍ୟ ରାମାୟଣ । ଉକ୍ତ ରାମାୟଣରୁ ସଂଗୃହିତ ବିରଳ ଘଟଣାବଳୀ ଓ ଚରିତ୍ରକୁ ଆଧାର କରି ପଦ୍ମଶ୍ରୀ ହଲଧର ନାଗ ଅନେକ କାଳଜୟୀ କାବ୍ୟ ସୃଷ୍ଟି କରି ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ତାଙ୍କ ସୃଜିତ ମହାସତୀ ଉର୍ମିଲା, ଅଛିଆଁ ଶବରୀ, ତାରା ମନ୍ଦୋଦରୀ, ରସିଆ କବି ତୁଲସୀଦାଶ ପ୍ରମୁଖ ଚରିତ୍ର ମାଧ୍ୟମରେ କବିଙ୍କ ବିରଳ ଦର୍ଶନ ଆନ୍ତର୍ଜାତିକସ୍ତରରେ ଲୋକାଭିମୂଖୀ ହୋଇପାରିଛି ବୋଲି ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଦ୍ୱି-ଦିବସୀୟ ଆନ୍ତର୍ଜାତିକ ସେମିନାରରେ ମତପ୍ରକାଶ ପାଇଛି । ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗୀୟ ମୁଖ୍ୟ ଡ.ଜୟଶଙ୍କର ବାବୁଙ୍କ ଆୟୋଜନ ଏବଂ ସଂଚାଳନରେ ଉକ୍ତ ସେମିନାର ଆୟୋଜିତ ହୋଇଥିଲା । ଏହି ଅବସରରେ ବିଶିଷ୍ଟ ଲେଖକ ତଥା ଅନୁବାଦକ ଦିନେଶ ମାଲିଙ୍କ ଅନୁବାଦିତ ହିନ୍ଦୀ ପୁସ୍ତକ “ରାମାୟଣ ପ୍ରସଙ୍ଗୋ ପର ହଲଧର ନାଗକେ କାବ୍ୟ ଏବଂ ୟୁଗିନ୍ ବିମର୍ଶ” ପୁସ୍ତକ ଲୋକାର୍ପିତ ହୋଇଥିଲା । ପଣ୍ଡିଚେରୀ ବିଶ୍ୱ ବିଦ୍ୟାଳୟର କୁଳପତି ଆଚାର୍ଯ୍ୟ ଗୁରୁମିତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହରେ କାବ୍ୟ ସ୍ରଷ୍ଟା ପଦ୍ମଶ୍ରୀ ଡ. ହଲଧର ନାଗ, ମୁଖ୍ୟ ଅତିଥି ମହାନଦୀ କୋଲଡ ଫିଲ୍ଡ ପୁର୍ବ ନିର୍ଦ୍ଦେଶକ ଭୋଲାନାଥ ଶୁକ୍ଲା, ବିଶିଷ୍ଟ ଅତିଥି ନନ୍ଦିନି ସାହୁ, ଡ.ଲକ୍ଷ୍ମିନାରାୟଣ ପାଣିଗ୍ରାହୀ, ପ୍ରଫେସର କ୍ଲେମେନ୍ଟ ଲୁର୍ଡ , ଅନୁବାଦକ ଦିନେଶ ମାଲି ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ଭାରତ ତଥା ଭାରତ ବାହାରୁ ଶତାଧିକ ସାହିତ୍ୟପ୍ରେମୀ ଯୋଗଦାନ କରିଥିବା ବେଳେ ପ୍ରାୟ ୫୦ରୁ ଅଧିକ ବକ୍ତା ରାମକାବ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ବିଶ୍ୱବିଦ୍ୟାଳୟର ବହୁ ଗବେଷକ ଛାତ୍ରଛାତ୍ରୀ ମଧ୍ୟ ରାମକାବ୍ୟ ଉପରେ ପ୍ରସ୍ତୁତ ଆଲେଖ୍ୟ ପଠନ କରିଥିଲେ । ଓଡିଶାରୁ ସାହିତ୍ୟକ ଡ. ଦ୍ୱାରିକାନାଥ ନାୟକ, ଅଶୋକ କୁମାର ପୁଜାହାରୀ, ଅଧ୍ୟାପକ ସୁଶାନ୍ତ ମିଶ୍ର, ଉତ୍ପନ୍ନ ଭୋଇ, ସୁରେନ୍ଦ୍ର ନାଥ, ଡ.ସୁଜିତ କୁମାର ପୃଷେଠ, ଅନୀଲ କୁମାର ଦାଶ, ଶାନ୍ତୁନୁ ସର, ଶର୍ମିଷ୍ଠା ସାହୁ ପ୍ରମୁଖ ଅଂଶ ଗ୍ରହଣ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ହଲଧରଙ୍କ ଉପରେ ହିନ୍ଦୀ ଭାଷାରେ ରଚିତ ଗୀତକୁ ପ୍ରଖ୍ୟାତ ଗାୟିକା ଡ.କ୍ରିଷ୍ଣା ଆର୍ଯ୍ୟ ଗାନ କରିଥିଲେ । ଶେଷରେ ଡ.ଜୟଶଙ୍କର ବାବୁ ଧନ୍ୟବାଦ ଅର୍ପଣ କରିଥିଲେ ।