ପାଇକମାଲ : ସାରା ପୃଥିବୀରେ ଧିରେ ଧିରେ ବଢିଚାଲିଛି ଗ୍ରୀଷ୍ମପ୍ରବାହ,  ବୃଦ୍ଧି ପାଉଛି ତାପମାତ୍ରା , ଆଉ ସେହି ଅନୁସାରେ ଜନସାଧାରଣ ଖାଦ୍ୟ ପାନୀୟ ପରିବର୍ତ୍ତନ କରୁଥିବାର ଦେଖାଯାଉଛି । ତେବେ ଏଥିରୁ ବିଭିନ୍ନ ଦେବାଦେବୀ ମଧ୍ୟ ବାଦ ପଡିନାହାନ୍ତି । ବୈଶାଖ ମାସର ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ବରଗଡ ଜିଲ୍ଲା ନୃସିଂହନାଥ ପୀଠରେ ପ୍ରଭୁ ନୃସିଂହନାଥଙ୍କ ଠାରେ ପଖାଳ ଭୋଗ ଲାଗି ହେବା ସହ ଭକ୍ତଙ୍କୁ ଅର୍ପଣ କରାଯାଉଛି ।
ବରଗଡ ଜିଲ୍ଲା ସଦର ମହକୁମା ରୁ ୧୧୫ କିଲୋମିଟର ଦୂର ଦକ୍ଷିଣ ସୀମାନ୍ତରେ ରହିଛି ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ । ଏହି ପର୍ବତର ପାଦ ଦେଶରେ ଘଞ୍ଚ ବନାନୀ ପରିବେଶରେ ଅବସ୍ଥିତ ପବିତ୍ର ନୃସିଂହନାଥ ମନ୍ଦିର । ଏହି ପ୍ରାଚୀନ ନୃସିଂହନାଥ ମନ୍ଦିରରେ  ପୂଜା ପାଉଛନ୍ତି ଭଗବାନ ବିଷ୍ଣୁଙ୍କର ଅନ୍ୟତମ ସ୍ୱରୁପ ମାର୍ଜାରକେଶରୀ । ବୈଶାଖ ମାସର ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ମହାପ୍ରଭୁ ନୃସିଂହନାଥଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମହାପ୍ରଭୁ ନୃସିଂହନାଥଙ୍କ ମୁଣ୍ଡରେ ଓଦା କପଡା ଏବଂ ଚନ୍ଦନ ଲେପନ କରାଯାଉଥିବା ସହ ଅପରାହ୍ନରେ ପଖାଳ ଭୋଗ ଅର୍ପଣ କରାଯାଉଛି । ପ୍ରତିବର୍ଷ ଅକ୍ଷୟ ତୃତୀୟା ଠାରୁ ଦଶମୀ ପର୍ଯ୍ୟନ୍ତ ନୃସିଂହନାଥ ପୀଠରେ ଏହି ପଖାଳ ଭୋଗ ଲାଗି ହେଉଥିବା ବେଲେ ଏଥିରେ ଦହି ଓ ଟେଭା ପତ୍ର ମିଶାଯାଇ ସ୍ୱତନ୍ତ୍ର ଭାବରେ  ପ୍ରସ୍ତୁତି କରାଯାଇଥାଏ ।
ଅତ୍ୟଧିକ ଗରମ ଯୋଗୁ ମନୁଷ୍ୟ ଯେପରି  ବିଭିନ୍ନ ଖାଦ୍ୟ ପାନୀୟ ପରିବର୍ତ୍ତନ କରିଥାଏ ସେହିପରି ବହୁ ପୂର୍ବରୁ ନୁସିଂହନାଥ ପୀଠରେ ବୈଶାଖ ମାସରେ ସାତ ଦିନ ଧରି ପଖାଳ ଭୋଗ ଲାଗି ଆସୁଛି । ଅପରାହ୍ନରେ ମହାପ୍ରଭୁ ନୃସିଂହନାଥଙ୍କଠାରେ ଏହି ପଖାଳ ଭୋଗ ଲାଗିବା ପରେ ଭକ୍ତମାନଙ୍କୁ ଦିଆଯାଇଥାଏ । ପଖାଳ ଭୋଗ ପାଇଁ ମନ୍ଦିର କମିଟୀ ତରଫରୁ ମାଟି ନିର୍ମିତ ପାତ୍ରରେ ଭକ୍ତମାନଙ୍କୁ ବିନା ମୂଲ୍ୟରେ ଅର୍ପଣ କରାଯାଇଥାଏ ।  ତେବେ ଏହି ପଖାଳ ଭୋଗ କେବଳ ନୃସିଂହନାଥ ପୀଠରେ ଲାଗୁଥିବାବେଲେ ପର୍ଯ୍ୟଟକ, ଭକ୍ତ ତଥା ଦର୍ଶକମାନେ ଏଠାକୁ ଆସି ପଖାଳ ଭୋଗ ଖାଇ ନିଜକୁ ସୌଭାଗ୍ୟ ମନେ କରିଥାନ୍ତି ।

Leave a Reply

Your email address will not be published.

error: Content is protected !!