ବରଗଡ  : ଚୈତ୍ର ମଙ୍ଗଲବାର ଅବସରରେ ଗ୍ରାମ୍ୟଦେବୀ ମାଁ ସମଲେଶ୍ୱରୀ ଦେବୀଙ୍କ ଶୀତଳ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶୀତଳ ଯାତ୍ରା ଅବସରରେ ମାଁଙ୍କ ସ୍ୱରୂପ ଲିମ୍ବ ଡାଳକୁ ସହର ପରିକ୍ରମା କରାଯାଇଥିବା ବେଳେ ଘର ସମ୍ମୁଖରେ ଭକ୍ତ ତଥା ମହିଲାମାନେ ଅପେକ୍ଷା କରି ମାଁଙ୍କ ସ୍ୱରୂପ ଲିମ୍ବଡାଳକୁ ପୂଜାର୍ଚ୍ଚାନ କରିବା ସହ ନିଜ ତଥା ସମଗ୍ର ଜୀବଜଗତର ମଙ୍ଗଳ କାମନା କରିଛନ୍ତି । ପ୍ରତିବର୍ଷ ଚୈତ୍ର ମାସର ପ୍ରତେକ ମଙ୍ଗଲବାର ମାଁଙ୍କ ଏହି ଶୀତଳ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଆଜି ଚୈତ୍ର ମଙ୍ଗଲବାର ଅବସରରେ ବରଗଡ଼ର ସମଲେଶ୍ୱରୀ ମନ୍ଦିରରେ ସ୍ୱତନ୍ତ୍ର ପୂଜା ପରେ ମାଁଙ୍କର ଶୀତଳ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଅଧିଷ୍ଠାତ୍ରୀ ମାଁ ସମଲେଶ୍ୱରୀଙ୍କ ସ୍ୱରୂପ ନିମ୍ବ ଗଛ ଡାଳରେ ପୂଜକ ଦ୍ୱାରା ପୂଜା କରାଯାଇଥାଏ । ପରେ ପରେ ଏହି ନିମ୍ବ ଡାଳକୁ ଘଣ୍ଟ ଶଙ୍ଖ ବାଦ୍ୟର ତାଳେ ତାଳେ ନଗର ପରିକ୍ରମାରେ ନିଆଯାଇଥିଲା । ଏହି ସମୟରେ ଭକ୍ତମାନେ ନିଜ ଘର ସମ୍ମୁଖରେ ଗରିଆ, ବାଲଟିରେ କ୍ଷୀର , ପଣା, ଫୁଳ ଆଦି ରଖି ଅପେକ୍ଷା କରିଥିବା ସହ ଘଣ୍ଟ ବାଦ୍ୟର ତାଳେ ତାଳେ ଶୀତଳ ଯାତ୍ରା ଘର ସମ୍ମୁଖରେ ପହଂଚିବା ପରେ ଫୁଳ , ସିନ୍ଦୁର , ଭୋଗ ଅର୍ପଣ କରି ପୂଜା କରିଥିଲେ । ଏହା ସହ ଘର ସମ୍ମୁଖରେ ରଖାଯାଇଥିବା ପାଣି , କ୍ଷୀର ତଥା ପଣା ଦେବୀଙ୍କ ସ୍ୱରୂପ ନିମ୍ବ ଡାଳରେ ଢ଼ାଳିବା ସହ ଏ ଅବସରରେ ନିମ୍ବ ଡାଳକୁ ଛୁଇଁ ଏବଂ ଢ଼ଳାଯାଇଥିବା ପାଣିକୁ ମୁଣ୍ଡରେ ଦେଇ ଭକ୍ତମାନେ ମାଁଙ୍କ ଆର୍ଶୀବାଦ ଭିକ୍ଷା କରିଥାନ୍ତି ।ଚୈତ୍ର ମାସରେ ଗରମର ପ୍ରାଦୁର୍ଭାବ ଯୋଗୁଁ ବସନ୍ତ , ମିଳିମିଲା ପରି ଗରମ ଜନିତ ରୋଗ ବ୍ୟାପିଥାଏ । ବହୁ ବର୍ଷ ପୂର୍ବେ ଏହି ରୋଗରେ ଚାରି ଆଡେ ହଜାର ହଜାର ଲୋକ ଆକ୍ରାନ୍ତ ହେଉଥିଲେ । ସେ ସମୟରେ କୌଣସି ପ୍ରକାର ଚିକିତ୍ସା ବ୍ୟବସ୍ଥା ନ ଥିବା ବେଳେ ଲୋକଙ୍କ ଧାରଣା ଥିଲା ଯେ ଦେବୀଙ୍କ ପ୍ରକୋପରେ ଏହି ରୋଗ ଦେଖାଯାଏ । ସେଇଥି ପାଇଁ ଲୋକମାନେ ମାଁଙ୍କ ଶରଣାଗତ ହୋଇ ଧରାପୃଷ୍ଠକୁ ଶୀତଳିକରଣ କରିବା ସହ ରୋଗ ପ୍ରକୋପରୁ ମୁକ୍ତି ପାଇବା ପାଇଁ ଏହି ଶୀତଳ ଯାତ୍ରା କରୁଥିବାର ବିଶ୍ୱାସ ରହିଛି ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar