ଭଟଲି : ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ବରଗଡ଼ ଜିଲ୍ଳା ଭଟଲିରେ ମହାପ୍ରଭୁ ଶ୍ରୀ ଶ୍ରୀ ଦଧିବାମନ ସ୍ୱାମୀ ସୁନାବେଶରେ ଦର୍ଶନ ଦେଇଛନ୍ତି । ଦଶମୀ ତିଥିରେ ଗତ କାଲି ମହାପ୍ରଭୁଙ୍କ ବାହୁଡାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଏକାଦଶୀ ତିଥିରେ ମହାପ୍ରଭୁ ସୁନାବେଶରେ ଦର୍ଶନ ଦେଇଛନ୍ତି । ରବିବାର ପ୍ରତ୍ୟୁଷରେ ରଥ ଉପରେ ମହାପ୍ରଭୁଙ୍କ ଦୈନିକ ପୂଜାନୀତି ଅନୁଷ୍ଠିତ ହେବା ସହ ଦଧିବାମନ ସ୍ୱାମୀ ସୁନାବେଶରେ ଦର୍ଶନ ଦେଇଥିଲେ । ପୂର୍ବ ବର୍ଷମାନଙ୍କରେ ମନ୍ଦିରରେ ସୁନାବେଶ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ରଥ ଉପରେ ଦଧିବାମନ ସ୍ୱାମୀଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା । ଏ ଅବସରରେ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଥିବା ବେଳେ ମନ୍ଦିର କମିଟୀ ତରଫରୁ ଭକ୍ତମାନଙ୍କୁ ରସଗୋଲା ଭୋଗ ଅର୍ପଣ କରାଯାଇଥିଲା ।