ବରଗଡ : ମାର୍ଗଶୀର ଶୁକ୍ଳ ଦ୍ୱିତୀୟା ତିଥି ଅବସରରେ ବିଶ୍ୱର ସର୍ବବୃହୁତ ଖୋଲା ରଙ୍ଗମଂଚ ବରଗଡ ଧନୁଯାତ୍ରାର ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପିତ ହୋଇଯାଇଛି । ବରଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ଏକ ଶୋଭାଯାତ୍ରା ହାଟପଦାସ୍ଥିତ ସଂଚାର ପଡିଆ ପହଂଚି ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପନ କରାଯାଇଥିଲା । ରାଜପୁରୋହିତ ପଣ୍ଡିତ ଶିବଶଙ୍କର ଦାଶ ପୂଜାର୍ଚ୍ଚନା କରିଥିଲେ । ପୂଜାରେ ଧନୁଯାତ୍ରା ମହୋତ୍ସବ ସମିତିର ଅଧ୍ୟକ୍ଷା ତଥା ବରଗଡ ଜିଲ୍ଳାପାଳ ମୋନିଷା ବାନାର୍ଜି କର୍ତା ଦାୟିତ୍ୱ ତୁଳାଇଥିଲେ । ଯାତ୍ରାରେ କୌଣସି ବାଧାବିଘ୍ନ ନ ଘଟିବା ପାଇଁ ରାଜପୁରୋହିତ ଚାରି ଦଶ ଦିଗପାଳ ସହ ଅଷ୍ଟଗୁଳା ନାଗକୁ ପୂଜା କରି ୭୫ ତମ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପନ କରିଥିଲେ । ଏ ଅବସରରେ ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ୱର ଶତପଥୀ, ବରଗଡ଼ ଏସପି ପି ପରମାର ସ୍ମିତ , ଅତିରିକ୍ତ ଜିଲ୍ଳାପାଳ ମିର୍ଦ୍ଧା ଟପ୍ପୋ , ଡେପୁଟି କଲେକ୍ଟର ଅଶ୍ୱିନୀ ଦାଶ , ଉପଜିଲ୍ଳାପାଳ ଲଲାଟ ଲୁହା, ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଡନସେନା , ପ୍ରଚାର ପ୍ରସାର କମିଟୀର ଆବାହକ କଲ୍ୟାଣୀ ଦାଶ, ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା
ସମେତ ବିଭିନ୍ନ କମିଟୀର ସଦସ୍ୟମାନେ ସାମିଲ ହୋଇଥିଲେ । ହୃଷିକେଶ ଭୋଇ ବରଗଡ ଧନୁଯାତ୍ରାରେ ପୂର୍ବରୁ ୯ ଥର କଂସ ଭୂମିକା ରେ ଅବତୀର୍ଣ୍ଣ ହୋଇଥିବା ବେଳେ ଚଳିତ ବର୍ଷ ସହ ଦଶମ ଥର ପାଇଁ ମହାରାଜା କଂସ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୭୫ ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆଗାମୀ ଡିସେମ୍ବର ୨୭ ତାରିଖରୁ ଆରମ୍ଭ ହୋଇ ଜାନୁୟାରୀ ୬ ତାରିଖରେ ଶେଷ ହେବ । ୧୧ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଯାତ୍ରା ସମୟରେ ବରଗଡ ସହର ମଥୁରା ନଗରୀ ଏବଂ ଅମ୍ବାପାଲି ଗୋପପୁର ଭାବରେ ରୂପାନ୍ତରୀତ ହେଉଥିବା ବେଳେ ବରଗଡ ଏବଂ ଅମ୍ବାପାଲି ମଧ୍ୟରେ ବୋହି ଯାଉଥିବା ଜୀରା ନଦୀ ପୁରାଣ ବର୍ଣ୍ଣିତ ଯମୁନା ନଈ ଭାବରେ ପରିଗଣିତ ହୋଇଥାଏ । ଏ ଅବସରରେ ମଥୁରାନଗରୀରେ ୧୧ ଦିନ ପର୍ଯ୍ୟନ୍ତ କଂସର ରାଜତ୍ୱ ଚାଳୁଥିବା ବେଳେ ଗୋପପୁରରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳର ଦୃଶ୍ୟ ଖୋଲାମଂଚରେ ଅଭିନୀତ ହୋଇଥାଏ ।
